ବର୍ମିଂହାମ (ଏଟିଆର ବ୍ୟୁରୋ); ଗୋଟିଏ ମ୍ୟାଚ ପୂର୍ବରୁ ସେମିରେ ପହଁଞ୍ଚିଛି ଟିମ୍ ଇଣ୍ଡିଆ । ଗତକାଲି ବାଲାଂଦେଶ ବିପକ୍ଷ ମ୍ୟାଚ ଜିତିବା ପରେ ଦଳ ସେମିରେ ନିଜ ସ୍ଥାନ ପକ୍କା କରିଛି । ପୂର୍ବରୁ ଅଷ୍ଟ୍ରେଲିଆ ସେମିଫାଇନାଲରେ ପହଁଞ୍ଚି ସାରିଛି । ଭାରତ ଦ୍ୱିତୀୟ ଦଳ ଭାବରେ ସେମିରେ ପହଁଞ୍ଚିଛି । ଗତକାଲି ବାଲାଂଦେଶ ମ୍ୟାଚ ହାରିବା ପରେ ସେମି ରେସରୁ ବାଦ ପଡିଛି । ଦଳ ଶେଷ ମ୍ୟାଚରେ ପାକିସ୍ତାନକୁ ଭେଟିବ ।
ଗତକାଲି ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ୱିକେଟ ହରାଇ ୩୧୪ ରନ କରିଥିଲା । ଦଳର ଦୁଇ ପ୍ରାରମ୍ଭିକ ଯୋଡି ପଡିଆରେ ଅଧିକ ସମୟ ତିଷ୍ଠି ରହି ବଡ ସ୍କୋର କରିଥିଲେ । ରୋହିତ ୧୦୪ ରନର ପାଳି ଖେଳିଥିବା ବେଳେ ରାହୁଲ ୭୭ ରନ କରିଥିଲେ । ରୋହିତ ଚଳିତ ବିଶ୍ୱକପରେ ୪ଟି ଶତକ ହାସଲ କରିଛନ୍ତି । ଯାହାକି ଏକ ବିରଳ ରେକର୍ଡ । ଗତକାଲି ଯୁବ ତାରକା ରିଷଭ ପନ୍ଥ ୪୮ ରନ କରିଥିଲେ । ବାଲାଂଦେଶ ପକ୍ଷରୁ ମୁଷ୍ଟାଫିଜର ରେହେମାନ ୫ଟି ୱିକେଟ ଅକ୍ତିଆର କରିଥିଲେ ।
୩୧୫ ରନକୁ ପିଛା କରିବାକୁ ଯାଇ ବାଲାଂଦେଶ ୨୮୬ରେ ଅଲଆଉଟ ହୋଇଥିଲା । ବୁମରାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲେ ବାଲାଂଦେଶୀ ବ୍ୟାଟ୍ସମ୍ୟାନ । ବୁମରା ୪ ୱିକେଟ ପାଇଥିବା ବେଳେ ପାଣ୍ଡ୍ୟା ୩ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ଗତକାଲି ବାଲାଂଦେଶର ଉଦୀୟମାନ ଅଲରାଉଣ୍ଡର ସାକିବ ଅଲ ହାସନ ୬୬ ରନ କରିଥିଲେ । ସେ ଚଳିତ ବିଶ୍ୱକପରେ ୨ଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।