ସିଡନୀ (ଏଟିଆର ବ୍ୟୁରୋ ) ; ଶେଷରେ ଶେଷ ଟି – ୨୦ ମ୍ୟାଚ ଜିତିଲା ଭାରତ । ଅଷ୍ଟ୍ରେଲିଆ – ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟି – ୨୦ ମ୍ୟାଚକୁ ଜିତିନେଇଛି ଭାରତ । ଆଜି ଅଷ୍ଟ୍ରେଲିଆର ସିଡନୀ ଠାରେ ଖେଳାଯାଇଥିବା ମ୍ୟାଚ ବେଶ ରୋମାଞ୍ଚକର ହୋଇଥିଲା । ଅନ୍ୟପଟେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୁର୍ଣ୍ଣ ଥିଲା । ପୂର୍ବରୁ ଭାରତ ଗୋଟିଏ ମ୍ୟାଚରେ ପରାଜୟ ଗ୍ରହଣ କରିଥିବା ବେଳେ ଅନ୍ୟ ଏକ ମ୍ୟାଚ ବର୍ଷା ଭାରତର ଜିତିବା କ୍ଷେତ୍ରରେ ବାଧକ ସାଜିଥିଲା । ଯାହା ଫଳରେ ଆଜିର ମ୍ୟାଚକୁ ଜିତି ସିରିଜ ବରାବର ଲକ୍ଷ୍ୟରେ ଭାରତ ଥିଲା ।
ସେପଟେ ଅଷ୍ଟ୍ରେଲିଆ ମଧ୍ୟ ଏହି ମ୍ୟାଚକୁ ଜିତି ସିରିଜ ଉପରେ କବଜା କରିବାକୁ ଚାହିଁଥିଲା । ତେବେ ଭାରତ ନିଜର ପ୍ରଦର୍ଶନରେ ଉନ୍ନତି ଆଣି ଆଜିର ମ୍ୟାଚକୁ ଜିତିବାରେ ସକ୍ଷମ ହୋଇପାରିଛି । ଭାରତ ଏହି ରୋମାଞ୍ଚକର ମ୍ୟାଚକୁ ୬ ୱିକେଟରେ ଜିତିନେଇଛି । ପୁର୍ବରୁ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାାଟିଂର ନିଷ୍ପତି ନେଇଥିଲା । ମ୍ୟାଚ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କ ଉପରେ ଭାରି ପଡିଥିଲେ ଭାରତୀୟ ବୋଲର । ବିଶେଷକରି ବାମହାତୀ ସ୍ପିନର କୁନାଲ ପାଣ୍ଡ୍ୟା ଆଜିର ମ୍ୟାଚରେ ଦମଦାର ବୋଲିଂ କରିଛନ୍ତି । କୁନାଲ ଅଷ୍ଟ୍ରେଲିଆର ୪ ଟି ଗୁରୁତ୍ୱପୁର୍ଣ୍ଣ ୱିକେଟ ନେବାରେ ସଫଳ ହୋଇଥିଲେ । ତେବେ ନିର୍ଦ୍ଧାରିତ ୨୦ ଓଭର ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଟିମ ୬ ଟି ୱିକେଟ ହରାଇ ୧୬୪ ରନ କରିପାରିଥିଲା ।
ଜବାବରେ ଭାରତ ୧୬୫ ରନ୍ ବିଜୟ ଲକ୍ଷ୍ୟ ନେଇ ଏହାକୁ ୧୯.୪ ଓଭରରେ ୪ ଓ୍ଵିକେଟ୍ ହରାଇ ପୂରା କରିପାରିଛି । ଭାରତୀୟ ଅଧିନାୟକ ବିରାଟ କୋହଲି ଅପରାଜେୟ ରହି ଦଳକୁ ବିଜୟ ଦେଇଛନ୍ତି । ସେ ୪୧ ବଲ ଖେଳି ୪ ଚୌକା ଓ ୪ ଛକା ସାହାର୍ଯ୍ୟରେ ୬୧ ରନ କରିପାରିଛନ୍ତି । ଏହାସହ ତାଙ୍କୁ ମଧ୍ୟାକ୍ରମ ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ ସହଯୋଗ କରିଛନ୍ତି । ତେବେ ଶେଷ ଓଭରରେ ହିଁ ଭାରତ ବିଜୟର ସ୍ୱାଦ ଚାଖିପାରିଛି । ସିରିଜ ବରାବର କରି ଭାରତ ନିଜ ସମ୍ମାନ ରକ୍ଷା କରିବା ସହ ଲଗାଦାର ୭ଟି ସିରିଜ ବିଜୟପରେ ଏହି ସିରିଜ ପରାଜୟରୁ ବର୍ତ୍ତିଯାଇଛି ।