ସିଡନୀ (ଏଟିଆର ବ୍ୟୁରୋ); ଭାରତୀୟ ବୋଲିଂରେ ଚିଟପଟାଙ୍ଗ ମାରିଛି ଘରୋଇ ଦଳ । ପ୍ରଥମ ପାଳିରେ ୩୦୦ ରନ କରି ଅଲ ଆଉଟ ହୋଇ ଯାଇଛି ଅଷ୍ଟ୍ରେଲିଆ । ଯାହାଦ୍ୱାରା ଫଲୋଅନର ଶିକାର ହୋଇଛି କଙ୍ଗାରୁ ବାହିନୀ । ଭାରତୀୟ ସ୍ପିନ ବୋଲିଂକୁ ସାମ୍ନା କରିବାରେ ବିଫଳ ହୋଇଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ । ଭ୍ରମଣକାରୀ ଦଳ ପକ୍ଷରୁ ସ୍ପିନର କୁଳଦୀପ ଏବଂ ଜାଡେଜା ମିଶି ୭ଟି ୱିକେଟ ନେବାରେ ସଫଳ ହୋଇଛନ୍ତି । କୁଳଦୀପ ୫ଟି ୱିକେଟ ନେଇଥିବା ବେଳେ ଜାଡେଜା ୨ଟି ୱିକେଟ ଅକ୍ତିଆର କରିଛନ୍ତି । ପେସର ବୋଲରଙ୍କ ମଧ୍ୟରେ ବୁମରା ଗୋଟିଏ ଏବଂ ସାମି ୨ଟି ୱିକେଟ ନେଇ କଙ୍ଗାରୁ ବାହିନୀକୁ ସଙ୍କଟରେ ପକାଇଛି । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ରନ କରିବାରେ ସକ୍ଷମ ହୋଇଛି ।
ଭାରତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିବା ବେଳେ ୬୨୨ ରନ କରିଥିଲା । ସେପଟେ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳି ୩୦୦ ରନରେ ସମସ୍ତ ୱିକେଟ ହରାଇଛି । ଯାହା ଫଳରେ ଫଲୋଅନର ଶିକାର ହୋଇଛି ଘରୋଇ ଦଳ । ୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଭାରତ ସପକ୍ଷରେ ଏହି ମ୍ୟାଚଟି ଯାଉଥିବାରୁ ଭାରତୀୟ କ୍ରିକେଟ ପ୍ରେମୀ ଖୁସି ହୋଇଥିବା ଜଣା ପଡିଛି ।