ବିଶାଖାପାଟଣାମ (ଏଟିଆର ବ୍ୟୁରୋ); ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ ପ୍ରଥମ ଟି-୨୦ । ବିଶାଖାପାଟଣାମରେ ଏହି ମ୍ୟାଚଟି ଖେଳାଯିବ । ଭାରତ ଘରୋଇ ମାଟିରେ ଖେଳୁଥିବାରୁ ଭାରତର ପଲ୍ଲା ଭାରି ରହିବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । ତେବେ ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଭାରତ କଙ୍ଗାରୁ ବାହିନୀକୁ ପରାସ୍ତ କରିଥିଲା । ଭାରତ ଟେଷ୍ଟ ଏବଂ ଦିନିକିଆ ସିରିଜ ହାତେଇ ଇତିହାସ ରଚିଥିଲା । ଏବେ ଭାରତୀୟ ଖେଳାଳିମାନେ ଫୁଲ ଫର୍ମରେ ରହିଥିବା ବେଳେ କଙ୍ଗାରୁ ବାହିନୀ ଏହାର କଡା ଟକ୍କର ଦେବା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଛି ।
ଭାରତକୁ ଘରୋଇ ମାଟିରେ ହରାଇ ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇବ କଙ୍ଗାରୁ ବାହିନୀ । ଅଷ୍ଟ୍ରେଲିଆ ମାଟିରେ ଭାରତ ଙ୍ଗାରୁ ବାହିନୀକୁ ହରାଇଥିଲା । ଏଣୁ ଭାରତକୁ ତା ମାଟିରେ ହରାଇ ବରାବର କରିବା ଲକ୍ଷରେ ରହିବ ଅଷ୍ଟ୍ରେଲିଆ । ସେପଟେ ଘରୋଇ ମାଟିରେ ଦବଦବା ଦେଖାଇବା ପାଇଁ ଚେଷ୍ଟା ଜାରି ରଖିବ ଭାରତ । ଫଟାଫଟ କ୍ରିକେଟରେ ଭାରତ ଭଲ ଖେଳି ଆସୁଛି । ତେବେ ଆସନ୍ତା କାଲି ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ଧରି ମଇଦାନକୁ ଓହ୍ଲାଇବ ଭାରତ ।
ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା । ସେ ଇଞ୍ଜୁରୀ ଥିବା କାରଣରୁ ସିରିଜରୁ ବାହାର ହୋଇଛନ୍ତି । ତେବେ ଦିନେଶ କାର୍ତ୍ତିକ ଟି-୨୦ ଦଳରେ ସ୍ଥାନ ପାଇଥିବା ବେଳେ ଦିନିକିଆ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ । ଦଳରେ ନୂଆ ମୁହଁ ମଧ୍ୟ ରହିଛନ୍ତି । ମୟଙ୍କ ମାର୍କଣ୍ଡେୟ ଦଳରେ ସ୍ଥାନ ପାଇଛନ୍ତି । ଏହି ସିରିଜରେ ପୁଣିଥରେ ଦଳକୁ ଫେରିଛନ୍ତି ଉମେଶ ଯାଦବ ।
ଭାରତୀୟ ସାମ୍ଭବ୍ୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଋଷବ ପନ୍ତ୍, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), କୃନାଲ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କଉଲ୍, ମୟଙ୍କ ମାର୍କଣ୍ଡେ।