ସାଉଥମ୍ପଣ୍ଟନ (ଏଟିଆର ବ୍ୟୁରୋ); ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଷ୍ଟେମାଷ୍ଟେ ଜିତିଛି ଭାରତ । ଶେଷ ଓଭରରେ ନାଟକୀୟ ଢ଼ଙ୍ଗରେ ଜିତି ସମସ୍ତ କ୍ରିକେଟ ପ୍ରେମୀଙ୍କ ମନ କିଣିଛି ଭାରତୀୟ ଦଳ । ସାମିଙ୍କ ଘାତକ ହ୍ୟାଟ୍ରିକରେ ଧରାଶାୟୀ ହୋଇଛି ଆଫଗାନିସ୍ତାନ । ଭାରତ ଶେଷରେ ମାତ୍ର ୧୧ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଚଳିତ ବିଶ୍ୱକପରେ ଭାରତର ଏହା ୪ର୍ଥ ବିଜୟ । ଦଳ ୯ପଏଣ୍ଟ ପାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ।ଗତକାଲି ମ୍ୟାଚ ଜିତିବା ପରେ ଭାରତ ବିଶ୍ୱକପରେ ୫୦ଟି ମ୍ୟାଚ ବିଜୟ ହୋଇଛି ।
ଗତକାଲି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭର ମଧ୍ୟରେ ଦଳ ୮ ୱିକେଟ ହରାଇ ୨୨୪ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ଅଧିନାୟକ କୋହଲି ଏବଂ କେଦାର ଯାଦବ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । କୋହଲି ୬୭ ରନ କରିଥିବା ବେଳେ କେଦାର ୫୨ ରନ କରିଥିଲେ । ବାକି କୌଣସି ଖେଳାଳି ବଡ ସ୍କୋର କରି ପାରିନଥିଲେ । ଗତକାଲି ଆଫଗାନିସ୍ତାନ ପକ୍ଷରୁ ବୋଲିଂ କରିଥିବା ସମସ୍ତ ବୋଲର ଭାଗ ବାଣ୍ଟି ୱିକେଟ ନେଇଥିଲେ ।
୨୨୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଆଫଗାନିସ୍ତାନ ଛୋଟ ଛୋଟ ଭାଗୀଦାରିରେ ଭାରତକୁ ପାଣି ପିଆଇ ଦେଇଥିଲା। ହେଲେ ଯଶପ୍ରୀତ ବୁମ୍ରାଙ୍କ ଶାଣିତ ୟର୍କର ସାଙ୍ଗକୁ ମହମ୍ମଦ ସାମିଙ୍କ ହ୍ୟାଟ୍ରିକ୍ ବଳରେ ଭାରତ ବିଜୟର ସ୍ବାଦ ଚାଖିଥିଲା। ଆଫଗାନିସ୍ତାନ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୩ ରନ୍ରେ ସୀମିତ ରହିଥିଲା।ଗତକାଲି ମ୍ୟାଚରେ ବୁମରା ପ୍ଳେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।