ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପରେ ଭାରତର ଦମଦାର ଧମାକା । ଦ୍ୱିତୀୟ ମ୍ୟାଚରେ କଙ୍ଗାରୁ ବାହିନୀକୁ ହରାଇଛି ଭାରତ । ଗତକାଲି ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି । ଏହି ବିଜୟ ପରେ ଭାରତ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଉନ୍ନିତ ହୋଇଛି । ୨୦୧୫ ବିଶ୍ୱକପରେ ଅଷ୍ଟ୍ରେଲିଆ ଭାରତକୁ ସେମିଫାଇନାଲରେ ହରାଇଥିଲା । ଯାହାର ପ୍ରତିଶୋଧ ସ୍ୱରୁପ ଭାରତ ୨୦୧୯ରେ ନେଇଛି । ଦମଦାର ବ୍ୟାଟିଂ ସାଙ୍ଗକୁ ଘାତକ ବୋଲିଂରେ ଘାଇଲା ହୋଇଥିଲା କଙ୍ଗାରୁ ବାହିନୀ ।
ଗତକାଲି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୫ୱିକେଟ ହରାଇ ୩୫୨ ରନ କରିଥିଲା । ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ଲଢ଼ୁଆ ବ୍ୟାଟିଂ ବଡସ୍କୋର କରିବାର ଆଶା ଦେଇଥିଲା । ଧାୱନ ୧୦୯ ବଲରୁ ୧୧୭ କରିଥିଲେ । କୋହଲି ଏବଂ ରୋହିତ ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଧୋନିଙ୍କ ଲଢ଼ୁଆ ବ୍ୟାଟିଂ ସମସ୍ତଙ୍କ ମନଜିଣିନେଇଥିଲା । ଉଭୟ କମ ବଲରୁ ବଡ ସ୍କୋର କରିଥିଲେ ।
୩୫୩ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ୩୧୬ ରନରେ ଆଣ୍ଠେଇଥିଲା । ଦଳର ତିନିଜଣ ଖେଳାଳି ଅର୍ଦ୍ଧଶତକ ଅର୍ଜନ କରିଥିଲେ ସୁଦ୍ଧା ଅଷ୍ଟ୍ରେଲିଆ ଭାରତ ଆଗରେ ହାର ମାନିଥିଲା । ଭୁବନେଶ୍ୱର କୁମାର ଏବଂ ବୁମରା ଉଭୟ ୩ଟି ଲେଖାଏଁ ୱିକେଟ ପାଇଥିଲେ । ଚହଲ ମଧ୍ୟ ୨ଟି ୱିକେଟ ନେବାରେ ସଫଳ ହୋଇଥିଲେ । ଭାରତ ଆଗାମି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବା ପାଇଁ ଯାଉଛି ।