ସାଉଥମ୍ପଟନ (ଏଟିଆର ବ୍ୟୁରୋ); ବିଶ୍ୱକପରେ ଭାରତ ପ୍ରଥମ ମ୍ୟାଚ ବିଜୟରୁ ଆରମ୍ଭ କରିଛି । ଏହି ଅଭିଯାନର ପ୍ରଥମ ଶିକାର ହୋଇଛି ଦକ୍ଷିଣ ଆଫ୍ରିକା । ଗତକାଲି ଭାରତ ଦକ୍ଷିଣ ଆଫ୍ରିକାକୁ ୬ୱିକେଟରେ ହରାଇଛି । ଏହି ପରାଜୟ ପରେ ଦକ୍ଷିଣ ଆଫ୍ରିକା ବିଶ୍ୱକପରେ ହ୍ୟାଟ୍ରିକ ପରାଜୟ ବରଣ କରିଛି । ପୂର୍ବରୁ ଆୟୋଜକ ଇଂଲଣ୍ଡ ଏବଂ ବାଲାଂଦେଶଠାରୁ ହାରିସାରିଛି ଦକ୍ଷିଣ ଆଫ୍ରିକା । ଦଳ ଆଉ ୬ଟି ମ୍ୟାଚ ଖେଳିବ ।
ଗତକାଲି ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୯ୱିକେଟ ହରାଇ ୨୨୭ ରନ କରିବାରେ ସକ୍ଷମ ହୋଇଥିଲା । ଦଳର ଜଣେ ବି କେହି ଅର୍ଦ୍ଧଶତକ କରିନାହାଁନ୍ତି । ଅଲରାଉଣ୍ଡର ମୋରିସ ସର୍ବାଧିକ ୪୨ ରନ କରିଛନ୍ତି । ଭାରତ ପକ୍ଷରୁ ଚହଲ ୪ଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଏବଂ ବୁମରା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । କୁଳଦୀପ ମଧ୍ୟ ଗୋଟିଏ ୱିକେଟ ପାଇଛନ୍ତିି ।
୨୨୮ ରନର ବିଜୟ ଲକ୍ଷ୍ୟକୁ ପାର କରିବା ପାଇଁ ଭାରତ ୪୭ ଓଭର ୩ଟି ବଲ ଆବଶ୍ୟକ କରିଥିଲା । ଦଳ ପକ୍ଷରୁ ଓପନର ରୋହିତ ଶର୍ମାଙ୍କ ଶତକୀୟ ପାଳି ଭାରତକୁ ବିଜୟ କରାଇଛି । ପ୍ରଥମରୁ ଧାୱନ ଆଉଟ ହେବାପରେ ସଙ୍କଟରେ ପଡିଥିଲା ଭାରତ । କିନ୍ତୁ ଏହାପରେ ନିୟମିତ ବ୍ୟବଧାନରେ ୱିକେଟ ଯାଇଥିଲେ ସୁଦ୍ଧା ରୋହିତ ଏକାକି ଶେଷ ପର୍ଯ୍ୟନ୍ତ ପଡିଆରେ ତିଷ୍ଠି ରହିଥିଲେ । ସେ ୧୪୪ ବଲରୁ ୧୨୨ ରନ କରି ଅପରାଜିତ ଥିଲେ ।