ଚେନ୍ନାଇ ( ଏଟିଆର ବ୍ୟୁରୋ ) ; ଆଜି ଖେଳାଯିବ ଶେଷ ଟି – ମ୍ୟାଚ । ଭାରତ – ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟି – ୨୦ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚ ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ଉଭୟ ଦଳ । ଗୋଟେପଟେ ଭାରତ ଚଳିତ ଟି-୨୦ ସିରିଜରେ ୨-୦ର ବିଜୟ ହାସଲକରି ସିରିଜ ଉପରେ କବଜା କରିସାରିଥିବା ବେଳେ ଅନ୍ୟପଟେ ଶେଷ ମ୍ୟାଚକୁ ଜିତି ସମ୍ମାନର ସହ ଘରକୁ ଫେରିବା ଆଶାରେ ରହିଛି ଇଣ୍ଡିଜ । ତେବେ ଭାରତ ବି ଶେଷ ତଥା ଅନ୍ତିମ ଟି – ୨୦ ମ୍ୟାଚ ଜିତି ସିରିଜ ମୂଳପୋଛ କରିବା ଉଦ୍ଦେଶ୍ୟରେ ରହିଛି ।
ଭାରତ ପକ୍ଷରୁ ନିଜ ଦଳରେ ଅନେକ ପରିବତ୍ତନ ଦେଖିବାକୁ ମିଳିବ । ପ୍ରଥମେ କ୍ୟାପଟେନ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ଚଳିତ ସିରିଜରେ ବିଶ୍ରାମ ଦିଆଯାଇଥଲେ ବି ଭାରତ ଇଣ୍ଡିଜ ବିପକ୍ଷ ୨ଟି ଟି-୨୦ ମ୍ୟାଚ ଜିତିନେଇଛି । ହେଲେ ଏବେ ଭଲ ଫର୍ମରେ ଥିବା ଉମେଶ ଯାଦବ , ଯଶପ୍ରୀତ ବୁମରା ଓ ସ୍ପିନର କୁଳଦୀପ ଯାଦବଙ୍କୁ ଶେଷ ମ୍ୟାଚ ପାଇଁ ବିଶ୍ରାମ ଦେଇଛି ଦଳ ।
ଏହାସହ ସେମାନଙ୍କ ସ୍ଥାନରେ କିଛି ନୂଆ ଖେଳାଳୀଙ୍କୁ ଦଲରେ ସ୍ଥାନ ଦେବାକୁ ଲକ୍ଷ୍ୟ ରଖିଛି ଦଳ । ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଭିନ୍ନ ଫର୍ମାଟରେ ଭାରତ ଖେଳିବାକୁ ଯାଉଥିବାବେଳେ ଏବେ ଏ ନେଇ ନୂଆ ଖେଳାଳୀଙ୍କୁ ଦଳରେ ସାମିଲ କରାଇ ଭାରତ ସେମାନଙ୍କୁ ପରୀକ୍ଷା କରିବାକୁ ଚାହୁଁଛି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଚୁଡାନ୍ତ ଏକାଦଶରୁ ବଞ୍ଚିତ ହେଉଥିବା ଯୁବ ଖେଳାଳୀଙ୍କୁ ଏକ ପ୍ରକାର ନିଜ ଶକ୍ତି ପ୍ରଦର୍ଶନ ପାଇଁ ଏହି ମ୍ୟାଚରେ ସୁଯୋଗ ମିଳିଛି । ଏମାନଙ୍କ ମଧ୍ୟରୁ ସ୍ଥାନୀୟ ଖେଳାଳୀ ୱାସିଂଟନ୍ ସୁନ୍ଦର, ଶ୍ରେୟସ ଆୟର ଏବଂ ସାହବାଜ୍ ନଦୀମ୍ଙ୍କୁ ଏହି ମ୍ୟାଚରେ ଖେଳାଯିବା ନେଇ ଏକ ପ୍ରକାର ସ୍ଥିର ବୋଲି ଜଣାପଡୁଛି ।
ତଥାପି ସ୍ପିନର କୁଳଦୀପ ଯାଦବ ଏହି ମ୍ୟାରେ ବିଶ୍ରାମରେ ଥିବା ଯୋଗୁ ତାଙ୍କ ସ୍ଥାନରେ ଯୋଗେନ୍ଦର ଚହଲ ଙ୍କୁ ଦଳରେ ସ୍ଥାନ ମିଳିପାରେ । ତେବେ ଚହଲ ଓ ସୁନ୍ଦର ସ୍ପିନର ଭାର ସମ୍ଭାଳିବାକୁ ପ୍ରସ୍ତୁତ ଥିବା ବେଳେ ତୃତୀୟ ସ୍ପିନର ତଥା କାମଚଳା ସ୍ପିନର ଭାବରେ କୁନାଲ ପାଣ୍ଡ୍ୟା ଭାର ସମ୍ଭାଳିବେ । ସେହିପରି ପେସ ବୋଲିଂର ଭାର ଭୁବନେଶ୍ୱର କୁମାର ଓ ଖଲିଲ ଅହମ୍ମଦଙ୍କ ଉପରେ ନିର୍ଭର କରିବ ବୋଲି ଜଣାପଡିଛି । ଭାରତୀୟ ବ୍ୟାଟିଂରେ ବି ବିଶେଷ ପରିବତ୍ତନ ଦେଖାଯାଉନାହିଁ ।
ସେହିପରି ଇଣ୍ଡିଜ ଦଳ ବି ନିଜ ଟିମ କୁ ନେଇ ଚିନ୍ତାରେ ପଡିଛି । ଦଳର ବରିଷ୍ଠ ଖେଳାଳି ଦଳରେ ଉପସ୍ଥିତ ନଥିବା ବେଳେ ଦୀନେଶ ରାମଦୀନ , କିରଣ ପୋଲାର୍ଡ , ଓ ଡାରେନ ବ୍ରାଭୋ ମଧ୍ୟ ଏଯାଏ ଏତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି । ତେବେ ହେଟମେୟ।।ର ଓ ସାଇ ହୋପଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଇଣ୍ଡିଜ ଦଳ ଶେଷ ତଥା ଅନ୍ତିମ ମ୍ୟାଚକୁ ଜିତି ସମ୍ମାନର ସହ ଘରକୁ ଫେରିବା ଆଶାରଖିବ ବୋଲି ଜଣାପଡିଛି ।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ଲୋକେଶ ରାହୁଲ୍, ମନୀଷ ପାଣ୍ଡେ, ଋଷଭ ପନ୍ତ୍, ଦୀନେଶ କାର୍ତିକ (ୱିକେଟ୍ ରକ୍ଷକ), କୃନାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍, ଭୁବନେଶ୍ବର କୁମାର, ୱାସିଂଟନ୍ ସୁନ୍ଦର ଓ ଖଲିଲ ଅହମ୍ମଦ।
ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: କାର୍ଲୋସ୍ ବ୍ରାଥୱେଟ୍ (ଅଧିନାୟକ), ନିକୋଲାସ୍ ପୂରନ୍ (ୱିକେଟ୍ ରକ୍ଷକ), ସାଇହୋପ୍, ସିମ୍ରନ୍ ହେଟମେୟର, ଡାରେନ୍ ବ୍ରାଭୋ, କିରଣ ପୋଲାର୍ଡ, ରୋଭମାନ ପାୱେଲ, କିମୋ ପଲ୍, ଫାବିଏନ୍ ଏଲେନ୍, ଖାରି ପିଏରେ, ଓସାନେ ଥୋମାସ୍।