ଲଣ୍ଡନ (ଏଟିଆର ବ୍ୟୁରୋ); ୨୪୦ ରନକୁ ପିଛା କରିବାକୁ ଯାଇ ଭାରତ ମାତ୍ର ୬ ରନରେ ୩ଟି ୱିକେଟ ହରାଇ ସାରିଛି । ଭାରତର ତିନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପାଭିଲିୟନ ଫେରି ଯାଇଛନ୍ତି । ରୋହିତ,ରାହୁଲ ଏବଂ କୋହଲି ହତାଶ କରି ଦେଇଛନ୍ତି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ । ତିନି ଜଣ ଯାକ ୧ ରନ କରି ପାଭିଲିୟନ ଫେରିଯାଇଛନ୍ତି । ଏବେ ଯୁବ ଖେଳାଳି ପନ୍ଥ ଏବଂ ଦିନେଶ କାର୍ତ୍ତିକ ପଡିଆରେ ଲଢ଼େଇ ଜାରି ରଖିଛନ୍ତି । ବିଶ୍ୱକପର ସେମିଫାଇନାଲର ବାକିଥିବା ଖେଳ ଆଜି ଅନୁଷ୍ଠିତ ହୋଇଛି । ହେନରି ୨ଟି ୱିକେଟ ନେଇଥିବା ବେଳେ ବୋଲ୍ଟ ଗୋଟିଏ ୱିକେଟ ଅକ୍ତଆର କରିଛନ୍ତି ।
ଆଜି ଖେଳ ଆରମ୍ଭରୁ ସେମିତି ବଡ ସଟ ମାରି ପାରିନଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ । ଦଳର ସେଟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର ରନ ଆଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ । ସେ ସର୍ବାଧିକ ୭୪ ରନ କରିଥିଲେ । ଜାଡେଜା ତାଙ୍କୁ ରନ ଆଉଟ କରି ପାଭିଲିୟନ ପଠାଇ ଦେଇଥିଲେ । ତେବେ ସେ ରନଆଉଟ ହୋଇ ଯିବାର ପରବର୍ତ୍ତୀ ବଲରେ ଲଥାମଙ୍କ ଏକ ବଡ ସଟକୁ କ୍ୟାଚ କରି ପାଭିଲିୟନ ପଠାଇ ଦେଇଥିଲେ ଜାଡେଜା । ନ୍ୟୁଜିଲାଣ୍ଡର ପକ୍ଷରୁ କେନ ୱିଲିୟମସନ ଏବଂ ଟେଲର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ବାକି ଖେଳାଳି ସେମିତି ବଡ ସ୍କୋର କରି ପାରି ନାହାଁନ୍ତି ।
ଭାରତ ଗତକାଲି ଯେଉଁ ସ୍ପେଲରେ ବୋଲିଂ କରିଥିଲା ଆଜି ମଧ୍ୟ ଖେଳ ଆରମ୍ଭରୁ ସେହି ଭଳି ପ୍ରଦର୍ଶନ କରିଥିଲା । ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନଙ୍କୁ ସେମିତି ବଡ ଧରଣର ସଟ ଖେଳିବାର ସୁଯୋଗ ଦେଇନଥିଲେ । ଦଳ ପକ୍ଷରୁ ଭୁବି ତିନୋଟି ୱିକେଟ ଅକ୍ତିଆର କରିଥିବା ବେଳେ ବୁମରା ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଚହଲ,ଜାଡେଜା ଏବଂ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟରେ ଗତକାଲି ସନ୍ତୁଷ୍ଟ ହୋଇଥିଲେ ।