ମେଲବର୍ଣ୍ଣ (ଏଟିଆର ବ୍ୟୁରୋ); ଶୁକ୍ରବାର ଘରୋଇ କଙ୍ଗାରୁ ଦଳ ଏବଂ ଭାରତୀୟ ଦଳ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯିବ । ୩ଟି ମ୍ୟାଚ ବିଶିଷ୍ଟ ସିରିଜରେ ୧-୧ ବରାବର ରହିଛି । ଏଣୁ ଶେଷ ମ୍ୟାଚଟି ଯଦି ଭାରତ ଜିତିଯାଏ ତେବେ ଭାରତ ଦିନିକିଆ ସିରିଜ ହାତେଇ ନେବ । ପୂର୍ବରୁ କେବେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଦ୍ୱିପାକ୍ଷିକ ସିରିଜ ଜିତି ନାହିଁ । ଏଣୁ ଏହି ମ୍ୟାଚ ଜିତିଲେ ଭାରତ ରେକର୍ଡ ସୃଷ୍ଟି କରିବ ।
ସେପଟେ ଭାରତ ଟି-୨୦ ରେ ୧-୧ ରେ ବରାବର ରହିଥିବା ବେଳେ ଟେଷ୍ଟରେ କଙ୍ଗାରୁ ବାହିନୀକୁ ହରାଇ ବିଶ୍ୱ ରେକର୍ଡ କରିଥିଲା । ଏଣୁ ଅଷ୍ଟ୍ରେଲିଆ ମାଟିରେ ତିନୋଟି ପର୍ଯ୍ୟାୟ ମ୍ୟାଚରେ ସିରିଜ ହାସଲ କଲେ ଭାରତୀୟ ଦଳ ଇତିହାସ ରଚିବ । ଭାରତ ପୂର୍ବରୁ କେବେ ଅଷ୍ଟ୍ରେଲିଆ ମାଟିରେ କୌଣସି ବି ସିରିଜ ଜିତିନାହିଁ । ଏଣୁ ସବୁ ଫର୍ମାଟରେ ଜିତିଲେ କୋହଲି ବାହିନୀ ଇତିହାସ ରଚିବ । ସେପଟେ ଟେଷ୍ଟ ସିରିଜ ଜିତିବା ପରେ ଭାରତ ପ୍ରଥମ ଏସୀୟ ଦେଶ ଭାବରେ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ହରାଇବାର ରେକର୍ଡ କରିଛି ।
ତୃତୀୟ ଦିନିକିଆ ବିଜୟ ଆଶାରେ ଟିମ ଇଣ୍ଡିଆ । ଦଳର ଖେଳାଳିମାନେ କଠିନ ପରିଶ୍ରମ କରି ପ୍ରାକ୍ଟିସ ଜାରି ରଖିଥିବା ଦେଖିବାକୁ ମିଳିଛି । ଦଳରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଅଧିନାୟକ ଏବଂ ଟିମ ମେମ୍ବର । ସେପଟେ କଙ୍ଗାରୁ ବାହିନୀ ଭାରତକୁ ହରାଇବା ପାଇଁ ମଧ୍ୟ ଜୋରଦାର ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି । ଶେଷ ମ୍ୟାଚରେ ବିଜୟ ହୋଇ ଦିନିକିଆ ସିରିଜ ହାତେଇବା ଏବଂ ଭାରତକୁ ଇତିହାସ ରଚିବାରୁ ରକ୍ଷା କରିବା ଲକ୍ଷରେ ପଡିଆକୁ ଓହ୍ଲାଇବ କଙ୍ଗାରୁ ବାହିନୀ ।