ଅକଲାଣ୍ଡ (ଏଟିଆର ବ୍ୟୁରୋ); ଦ୍ୱିତୀୟ ଟି-୨୦ରେ ବିଶାଳ ବିଜୟ ସହ ଇତିହାସ ରଚିଛି ଭାରତ । ଭାରତ ପୂର୍ବରୁ କେବେ ନ୍ୟୁଜିଲାଣ୍ଡରେ ଟି-୨୦ ମ୍ୟାଚ ଜିତି ନଥିଲା । ତେବେ ଆଜି ଦ୍ୱିତୀୟ ଟି-୨୦ ଜିତିବା ପରେ ଭାରତ ନିଜ ନାଁରେ ନୂଆ ରେକର୍ଡକୁ ଯୋଡି ଦେଇଛି । ଭାରତର ଏହି ବିଜୟ ପରେ ବିଭିନ୍ନ ଦିଗର ଶୁଭେଛାର ସୁଅ ଛୁଟି ଆସିଛି । ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ପାର କରି ଭାରତ ନୂଆ ରେକର୍ଡର ଅଧିକାରୀ ହେଉଛି । ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଘରୋଇ କଙ୍ଗାରୁ ଦଳକୁ ତିନୋଟି ଫର୍ମାଟରେ ହରାଇ ଏକ ଅଲୋଡା ରେକର୍ଡ ସୃଷ୍ଟି କରିଥିଲା । ପ୍ରଥମ ଏସୀୟ ଦଳ ଭାବରେ ଅଷ୍ଟ୍ରେଲିଆରେ ଘରୋଇ ଦଳକୁ ହରାଇଥିଲା ଭାରତ ।
ଆଜିର ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ଥିଲା । ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୮ଟି ୱିକେଟ ହରାଇ ୧୫୮ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଗ୍ରାଣ୍ଡମୋଲେ ସର୍ବାଧିକ ୫୦ ରନ କରିଥିବା ବେଳେ ଟେଲର ୪୨ ରନ କରିବାରେ ସଫଳ ହୋଇଥିଲେ । ତେବେ ଦଳର ଅନ୍ୟ କୌଣସି ଖେଳାଳି ସେମିତି ଆଖି ଦୃଷ୍ଟିଆ ଖେଳ ଖେଳିନଥିଲେ । ସେପଟେ ଭାରତ ପକ୍ଷରୁ କୁନାଲ ପାଣ୍ଡ୍ୟା ୩ଟି ୱିକେଟ ନେଇଥିବା ବେଳେ ଖଲିଲ ୨ଟି , ଭୁବି ଗୋଟିଏ ହାର୍ଦ୍ଦିକ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଫଳରେ ଘରୋଇ ନ୍ୟୁଜିଲାଣ୍ଡ ୧୫୮ ରନରେ ସୀମିତ ରହିଥିଲା ।
ଏହି ସ୍କୋରକୁ ପିଛା କରିବାକୁ ଯାଇ ଭାରତ ୧୯ ଓଭରରେ ୩ଟି ୱିକେଟ ହରାଇ ବିଜୟ ହାସଲ କରିଛି । ଦଳ ପକ୍ଷରୁ ଦଳର ଅଧିନାୟକ ରୋହିତ ସର୍ବାଧିକ ୫୦ ରନ କରିଛନ୍ତି । ସେ ୨୯ଟି ବଲ ସମ୍ମୁଖୀନ ହୋଇ ୩ଟି ଚୌକା ଏବଂ ୪ଟି ବିଶାଳ ଛକା ମାରିଥିଲେ । ଦୁଇ ଓପନର ବ୍ୟାଟ୍ସମ୍ୟାନ ପଡିଆରେ ତିଷ୍ଠିବା ଯୋଗୁଁ ଭାରତର ବିଜୟ ହୋଇଛି । ତେବେ ଶେଷ ସମୟରେ ଧୋନି ଏବଂ ପନ୍ଥଙ୍କ ଯୋଡି ମଧ୍ୟ ବିଜୟର ମୁଖ୍ୟ କାରଣ । ଉଭୟ ବୁଝିଶୁଝି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଧୋନୀ ୧୯ ବ୍ୟକ୍ତିଗତ କରିଥିବା ବେଳେ ପନ୍ଥ ୪୦ରନ କରିବାରେ ସକ୍ଷମ ହୋଇଛନ୍ତି । ଉଭୟଙ୍କ ପାର୍ଟନରସିପ ପାଇଁ ଦଳ ଆଜି ଇତିହାସ ରଚିଛି । ପନ୍ଥଙ୍କ ଶେଷରେ ଚୌକା ମାରି ଦଳକୁ ବିଜୟ କରିଥିଲେ ।