ଭୁବନେଶ୍ୱର (ଏଟିଆର ବ୍ୟୁରୋ); କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ପୁରୁଷ ଏଫଆଇଏଚ୍ ହକି ଲିଗରେ ଚାମ୍ପିୟନ ହୋଇଛି ଭାରତ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫-୧ରେ ହରାଇଛି ଭାରତ । ଭାରତ ପକ୍ଷରୁ ବରୁଣ କୁମାର ଓ ମନପ୍ରୀତ ସିଂହ ୨ଟି ଲେଖାଏ ଗୋଲ ଦେଇଥିବା ବେଳେ ବିବେକ ପ୍ରସାଦ ଗୋଟିଏ ଗୋଲ ସ୍କୋର କରିଛନ୍ତି।
ଫାଇନାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଟିମ୍କୁ ପୁରସ୍କୃତ କରିଛନ୍ତି। ସମାରୋହରେ ମନ୍ତ୍ରୀ ସମୀର ଦାସ, ତୁଷାରକାନ୍ତି ବେହେରା, ଅରୁଣ ସାହୁ ଓ ଏଫଆଇଏଚ୍ର ସଭାପତି ନରେନ୍ଦ୍ର ଧ୍ରୁବ ବାତ୍ରା ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ନବୀନଙ୍କ ଠାରୁ ମନପ୍ରୀତ ସିଂହ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଓ ବିବେକ ପ୍ରସାଦ ଶ୍ରେଷ୍ଠ ଜୁନିଅର ପ୍ଳେୟାର ପୁରସ୍କାର ଗ୍ରହଣ କରିଛନ୍ତି।
ମ୍ୟାଚ ଆରମ୍ଭରୁ ହିଁ ଭାରତ ଦବଦବା ଜାରି ରଖିଥିଲା । ଘରୋଇ ପରିବେଶରେ ଖେଳୁଥିବାରୁ ଦେଶୀୟ ଖେଳାଳିଙ୍କୁ ଉତ୍ସାହିତ କରୁଥିଲେ ଦର୍ଶକ । ଭାରତ ମାତା କି ଜୟ ଧ୍ୱନୀରେ ପ୍ରକମ୍ପିତ ହେଉଥିଲ ଷ୍ଟାଡିୟମ । ଭାରତ ପ୍ରଥମ କ୍ୱାଟରର ଦୁଇ ମିନିଟରେ ଏକ ପେନାଲ୍ଟି କର୍ଣ୍ଣରରେ ଗୋଲ ଦେଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଚାଲିଥିଲା ଭାରତ । ଶେଷ କ୍ୱାଟରରେ ମାତ୍ର ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲା ଦକ୍ଷିଣ ଆଫ୍ରିକା ।