ମାଉଣ୍ଟ ମାଙ୍ଗାନୁଇ (ଏଟିଆର ବ୍ୟୁରୋ); ତୃତୀୟ ଦିନିକିଆରେ ଘରୋଇ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଭ୍ରମଣକାରୀ ଭାରତ । ଭାରତ ଏହି ବିଜୟ ସହ ସିରିଜ ହାତେଇଛି । ଘରୋଇ ଦଳକୁ ୭ ୱିକେଟରେ ହରାଇ ନୂଆ ରେକର୍ଡ ସୃଷ୍ଠି କରିଛି ଭାରତ । ଭାରତ ପକ୍ଷରୁ ରୋହିତ ୬୨ ରନ କରିଥିବା ବେଳେ କୋହଲି ୬୦ ରନ କରି ଆଉଟ ହୋଇ ଯାଇଥିଲେ । ତେବେ ଦିନେଶ କାର୍ତ୍ତିକ ଏବଂ ରାୟୂଡୁ ଯୋଡି ଭାରତକୁ ବିଜୟ କରିଛନ୍ତି । ରାୟୂଡୁ ୪୨ ବଲ ଖେଳି ୪୦ ରନ ସଂଗ୍ରହ କରିଥିବା ବେଳେ କାର୍ତ୍ତିକ ୩୮ ବଲରୁ ୩୮ ରନ କରିବାରେ ସଫଳ ହୋଇଛନ୍ତି । ଉଭୟଙ୍କର ଏହି ସ୍କୋର ମଧ୍ୟରେ ୫ଟି ଚୌକା ଏବଂ ଗୋଟିଏ ଛଡା ଯୋଡି ହୋଇଛି । ସେପଟେ ଓପନର ବ୍ୟାଟ୍ସ ମ୍ୟାନ ଧାୱନ ୨୮ କରିଛନ୍ତି । ତେବେ ଏହି ୨୮ ରନ ମଧ୍ୟରେ ୬ ଚୌକା ରହିଛି । ତେବେ ଏହି ମ୍ୟାଚରେ ମହମଦ ସାମିଙ୍କୁ ପ୍ଳେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଛି । ସେ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି ।
ଘରୋଇ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଦଳ ସମସ୍ତ ୱିକେଟ ହରାଇ ୪୯ ଓଭରରେ ୨୪୩ ରନ କରିବାରେ ସକ୍ଷମ ହୋଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ରସ ଟେଲର ୯୩ ରନ କରିଥିବା ବେଳେ ଲାଥମ ୫୮ ରନ କରିଥିଲେ । ତେବେ ଦଳର ବାକି ଖେଳାଳି କେହି ବି ଆଖି ଦୃଷ୍ଟିଆ ଖେଳ ଖେଳି ନାହାଁନ୍ତି । ଭାରତ ପକ୍ଷରୁ ସାମି ୩ଟି ୱିକେଟ ନେଇଥିବା ବେଳେ ପାଣ୍ଡ୍ୟା,ଭୁବି ଏବଂ ଚହଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଭାରତ ଆଗରେ ୨୪୪ ରନର ବିଜୟ ଲକ୍ଷ ରହିଥିଲା । ଏହି ସ୍କୋରକୁ ପିଛା କରିବାକୁ ଯାଇ ଭାରତ ୩ଟି ୱିକେଟ ହରାଇ ୪୩ ଓଭରରେ ଏହି ମାଇଲଖୁଣ୍ଟକୁ ପାର କରିଛି ।
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଅନୁଷ୍ଠିତ ହୋଇଛି । ତେବେ ଭାରତ ତିନୋଟି ଦିନିକିଆରୁ ତିନୋଟି ଜିତିବା ପରେ ସିରିଜ ହାତେଇ ସାରିଛି । ସେପଟେ ସମ୍ନାନ ରକ୍ଷା କରିବା ପାଇଁ ବାକି ଦୁଇଟି ମ୍ୟାଚ ଲଢ଼ିବ ନ୍ୟୁଜିଲାଣ୍ଡ । ଭାରତ ୫ଟି ମ୍ୟାଚରୁ ୫ଟି ଜିତି ସିରିଜ ମୂଳ ପୋଛ କରିବା ଲକ୍ଷରେ ପଡିଆକୁ ଓହ୍ଲାଇବ । ବିଶ୍ୱକପ ପୂବରୁ ଏହା ଭାରତ ପାଇଁ ଚ୍ୟାଲେଞ୍ଜର ପ୍ରଶ୍ନ ଉଠିଥିଲା । ନିକଟରେ ଅଷ୍ଟ୍ରେଲିଆ ଘରୋଇ ମାଟିରେ କଙ୍ଗାରୁ ବାହିନୀକୁ ହରାଇ ଇତିହାସ ରଚିବା ପରେ ନ୍ୟୁଜିଲାଣ୍ଡ ସିରିଜ ଉପରେ ସମସ୍ତଙ୍କ ନଜର ଥିଲା । ତେବେ ଦିନିକିଆ ସିରିଜ ସରିବା ପୂର୍ବରୁ ସିରିଜ ବିଜୟ ହୋଇଥିବାରୁ ଭାରତୀୟ କ୍ରିକେଟ ପ୍ରେମୀ ବହୁତ ଖୁସି ଅଛନ୍ତି । ସେପଟେ ବିଶ୍ୱକପ ପୂର୍ବରୁ ବିଦେଶ ମାଟିରେ ଘରୋଇ ଦଳ ମାନଙ୍କୁ ହରାଇବା ଦ୍ୱାରା ଭାରତୀୟ ଖେଳାଳିଙ୍କ ମନୋବଳକୁ ଦୃଢ଼ କରିଛି ।