ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; କଳିଙ୍ଗ ଷ୍ଟାଡିୟମରେ ଦମ ଦେଖାଇବେ ଓଡିଆ ପୁଅ । ହକି ବିଶ୍ୱକପ ନିମନ୍ତେ ଘୋଷଣା ହେଲା ଭାରତୀୟ ଦଳ । ଏଥର ଏକ ମଜବୁତ ଓ ସମତୁଲ ଦଳକୁ ନେଇ ପଡିଆକୁ ଓହ୍ଲାଇବ ଭାରତ । ତେବେ ଖୁସି ଖବର ଯେ , ଘୋଷଣା ହୋଇଥିବା ହକି ଟିମରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ । ଭାରତୀୟ ଦଳର ଅନୁଭବୀ ଡିଫେଣ୍ଡର ତଥା ଓଡିଆ ଖେଳାଳୀ ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ଦଳ ରେ ସ୍ଥାନ ମିଳିଛି ।
ଅଧିନାୟକ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ଏଥର ପଡିଆକୁ ପ୍ରବେଶ କରିବ ଭାରତୀୟ ଦଳ । ଘୋଷଣା ହୋଇଥିବା ଭାରତୀୟ ଦଳରେ ଚିଙ୍ଗଲେସନା ସିଂ କାଙ୍ଗୁଜାମଙ୍କୁ ଉପ ଅଧିନାୟକ କରାଯାଇଛି । ଓଡିଶାର ପ୍ରତିଭାବାନ ଖେଳାଳି ଅମିତ ରୋହିଦାସଙ୍କୁ ଡିଫେଣ୍ଡର ଭାର ଦିଆଯାଇଛି । ଅନ୍ୟ ଖେଳାଳିଙ୍କ ମଧ୍ୟରେ କୋଠାଜିତ୍ ସିଂ, ହରମନପ୍ରୀତ୍ ସିଂ ଏବଂ ବରୁଣ କୁମାରଙ୍କୁ ଡ୍ରାଗଫ୍ଲିକର୍ସ ଭାବେ ସ୍ଥାନ ମିଳିଛି ।
ସେହିପରି ମିଡଫିଲର ଦାୟିତ୍ୱ ପାଇଁ ଅଧିନାୟକ ମନପ୍ରୀତ ସିଂ, ଚିଙ୍ଗଲେସନା ସିଂ କାଙ୍ଗୁଜାମ, ନୀଳକଣ୍ଠ ଶର୍ମା ଏବଂ ହାର୍ଦ୍ଦିକ ସିଂଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଫରୱାର୍ଡ ଖେଳାଳୀ ଭାବରେ ଆକାଶଦୀପ ସିଂ, ଦିଲପ୍ରୀତ ସିଂ,ଲଲିତ୍ ଉପାଧେୟ ଏବଂ ମନ୍ଦୀପ ସିଂଙ୍କ ସହ ସିମ୍ରନଜିତ୍ ସିଂଙ୍କୁ ମନୋନୀତ କରାଯାଇଛି । ସେପଟେ ହକି ବିଶ୍ୱକପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । ଆସନ୍ତା ୨୮ ତାରିଖରୁ ଟୁର୍ଣ୍ଣମେଣ୍ଟ ଆରମ୍ଭ ହେଉଥିବାବେଳେ କାଉଣ୍ଟରରେ ଟିକେଟ ମଧ୍ୟ ବିକ୍ରି ଆରମ୍ବ ହେଲାଣି । ହକିର ଗଡ ରୂପରେ ଜଣାଶୁଣା ଓଡିଶାରେ ଏଥର ହକି ଫେଭର ବେଶ ବେଖିବାକୁ ମିଳିବ ।