ବିଶାଖାପାଟଣାମ (ଏଟିଆର ବ୍ୟୁରୋ); ପୁଲୱାମା ଆତଙ୍କବାଦୀ ହମଲାରେ ଦେଶର ୪୪ ଜଣ ବୀର ଯବାନ ସହୀଦ ହୋଇ ଯାଇଛନ୍ତି । ଯାହାକୁ ନେଇ ସମଗ୍ର ଦେଶରେ ଏବେ ସୁଦ୍ଧା କଷ୍ଟ ଦୂର ହୋଇନି । ସହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଦେଶବାସୀ । ତେବେ ଏଥିରୁ ବାଦ ପଡିନାହିଁ ଭାରତୀୟ କ୍ରିକେଟ ଦଳ । ରବିବାର ବିଶାଖାପାଟଣା ଟ୍ବେଣ୍ଟି-୨୦ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଉଭୟ ଭାରତୀୟ ଏବଂ ଅଷ୍ଟ୍ରେଲିଆ ଖେଳାଳିମାନେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫର ୪୪ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉଭୟ ଦଳ ନିରବ ପ୍ରାର୍ଥନା କରି ବୀର ସହିଦଙ୍କୁ ସମ୍ମାନ ଜଣାଇଥିଲେ।
ଭାରତୀୟ ଖେଳାଳିମାନେ ଏହି ବର୍ବରକାଣ୍ଡକୁ ବିରୋଧ କରି ମ୍ୟାଚ୍ ସାରା କଳାପଟି ପିନ୍ଧି ମ୍ୟାଚ୍ ଖେଳିଥିଲେ। ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ବର୍ଜନ କରିବା ଲାଗି ଦାବି ଭାରତରେ ଜୋର ଧରିଥିଲା ବେଳେ ପାକିସ୍ତାନକୁ ଏକଘରିକିଆ କରିବା ଲାଗି ବିସିସିଆଇ ମଧ୍ୟ ଉଦ୍ୟମ ମଧ୍ୟ ଆରମ୍ଭ କରି ଦେଇଛି। ପାକିସ୍ତାନ ସହ କ୍ରିକେଟ୍ ନଖେଳିବା ଲାଗି ମଧ୍ୟ ବିସିସିଆଇ ଅନ୍ୟ ଦେଶଗୁଡ଼ିକୁ ଆହ୍ବାନ କରିଛି।
ବିସିସିଆଇ ପୂର୍ବରୁ ହଁ କହିସାରିଛି ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଏଥର ଆଇପିଏଲର ଉଦଘାଟନୀ ସମାରୋହ ହେବ ନାହିଁ। ଏଥିସହ ବିସିସିଆଇ ସହୀଦଙ୍କ ପରିବାରବର୍ଗଙ୍କୁ ୧୫କୋଟି ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛି। ଶନିବାର ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସହିଦ୍ ଯବାନଙ୍କୁ ମନେ ପକାଇ କହିଥିଲେ, ଯେଉଁ ଯବାନମାନେ ଦେଶ ପାଇଁ ନିଜ ଜୀବନ ହାରିଛନ୍ତି, ସେମାନଙ୍କ ପରିବାରପ୍ରତି ଆମର ଗଭୀର ସମେବେଦନା ରହିଛି। ଭାରତୀୟ ଟିମ୍ ଏହି ଘଟଣା ପାଇଁ ବହୁତ ଦୁଃଖିତ।