ବିଶାଖାପାଟଣାମ୍ (ଏଟିଆର ବ୍ୟୁରୋ); ଦୀର୍ଘ ୬ବର୍ଷ ପରେ ପ୍ଳେଅଫରେ ସ୍ଥାନ ପାଇଥିବା ଦିଲ୍ଲୀର ଫାଇନାଲ ଆଶା ମଉଳିଯାଇଛି । ଶୁକ୍ରବାର ଚେନ୍ନାଇ ବିପକ୍ଷ କ୍ୱାଲିଫାଇୟର ରାଉଣ୍ଡରେ ପରାସ୍ତ ହୋଇଛି ଦଳ । ଏହି ପରାଜୟ ସହିତ ଚଳିତ ଆଇପିଏଲରେ ଦିଲ୍ଲୀର ଅଭିଯାନ ଶେଷ ହୋଇଛି । ଫାଇନାଲରେ ପୁଣିଥରେ ଭେଟାଭେଟି ହେବେ ମୁମ୍ବାଇ ଏବଂ ଚେନ୍ନାଇ । ଗତକାଲି ଦିଲ୍ଲୀ ବଡ ସ୍କୋର କରିପାରନଥିଲା । ଯାହାକି ଦଳର ପରାଜୟର କାରଣ ହୋଇଥିଲା ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ୍ ବିନିମୟରେ ୧୪୭ ରନ୍ କରିଥିଲା। ୱାଇଡ୍ ବଲ୍ରୁ ପ୍ରଥମ ଓଭର ଆରମ୍ଭ କରିଥିବା ଦୀପକ ଚହର ନିଜ ଦ୍ବିତୀୟ ଓଭର ତୃତୀୟ ବଲ୍ରେ ପୃଥ୍ବୀ ସ’ (୫)ଙ୍କୁ ଏଲ୍ବିଡବ୍ଲୁ କରି ଚେନ୍ନାଇକୁ ପ୍ରଥମ ସଫଳତା ଦେଇଥିଲେ। ଦଳୀୟ ସ୍କୋର ୩୭ ରନ୍ ଥିଲା ବେଳେ ଶିଖର ଧାୱନ୍ଙ୍କୁ ହରଭଜନ ଆଉଟ୍ କରି ଦେଇଥିଲେ। କଲିନ୍ ମୁନ୍ରୋ (୨୭, ୨୪ ବଲ୍, ୪ ଚୌକା) ଟିକେ ମାରାତ୍ମକ ହେଇ ଆସୁଥିଲା ବେଳେ ତାଙ୍କୁ ରବୀନ୍ଦ୍ର ଜାଦେଜା ପ୍ୟାଭିଲିୟନ୍ ପଠାଇ ଦିଲ୍ଲୀ ଅଗ୍ରଗତିରେ ଟିକେ ଆଙ୍କୁଶ ଲଗାଇଥିଲେ। ୧୧.୩ ଓଭରରେ ସ୍କୋର୍ ୭୫ ଥିଲା ବେଳେ ଇମ୍ରାନ ତାହିର ଅଧିନାୟକ ଶ୍ରେୟସ ଆୟର (୧୩)ଙ୍କୁ ଆଉଟ୍ କରି ଦିଲ୍ଲୀକୁ ଚତୁର୍ଥ ଝଟ୍କା ଦେଇଥିଲେ।
୧୪୮ ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ପିଛା କରିବାକୁ ଯାଇ ନିର୍ଦ୍ଧାରିତ ଓଭର ପୂର୍ବରୁ ବିଜୟ ହୋଇଥିଲା । ୧୯ତମ ଓଭରରେ ୪ ୱିକେଟ ହରାଇ ବିଜୟ ହୋଇଥିଲା ଚେନ୍ନାଇ । ଦଳ ପକ୍ଷରୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡୁପ୍ଳେସି ଏବଂ ୱାଟସନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଉଭୟଙ୍କ ଭାଗିଦାରୀ ଦଳର ବିଜୟର ମୁଖ୍ୟ କାରଣ । ତେବେ ଚତୁର୍ଥଥର ଟାଇଟଲ ହାସଲ ଆଶାରେ ମୁମ୍ବାଇ ଏବଂ ଚେନ୍ନାଇ ।