କଟକ (ଏଟିଆର ବ୍ୟୁରୋ); ଲଗାତାର ତିନିଟି ମ୍ୟାଚ ଜିତି ବିଜୟ ଓଡିଶା ବିଜୟ ଧାରା ଜାରି ରଖିଥିବା ବେଳେ କର୍ଣ୍ଣାଟକ ଏଥିରେ ବ୍ରେକ ଲଗାଇଛି । ଗୁରୁବାର ବାରବାଟୀରେ ଆୟୋଜିତ ହୋଇଥିବା ସୟଦ ମୁଷ୍ଟାକ ଅଲ୍ଲି ଟ୍ରଫିରେ ଓଡିଶାକୁ ୫୧ରନରେ ପରାଜୟ କରିଛି । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୩୨ ରନ କରିଥିବା ବେଳେ ବାକି ଦଳର ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିନଥିଲେ । ଫଳରେ ଓଡିଶାକୁ ପରାଜୟ ବରଣ କରିବାକୁ ପଡିଛି । ଓଡିଶାର ୭ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଚଳିତ ବର୍ଷ ଓଡିଶା ଆଗରେ ଆଉ ଗୋଟିଏ ମ୍ୟାଚ ରହିଛି । ବେଙ୍ଗଲକୁ ଶେଷ ଲିଗ ମ୍ୟାଚରେ ଭେଟିବ ଓଡିଶା । ଲହି ମ୍ୟାଚଟି ଓଡିଶା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ।
ଆଜିର ମ୍ୟାଚରେ କର୍ଣ୍ଣାଟକ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ଟି ୱିକେଟ ହରାଇ ୧୫୫ ରନ କରିଥିଲା । ଦଳ ପକ୍ଷରୁ ଓପନର ରୋହନ କାଦମ ୮୯ ରନ କରିଥିଲେ । ରୋହନଙ୍କ ଅର୍ଦ୍ଧଶତକ ବଳରେ ଦଳ ଏହି ସ୍କୋର କରିବା ପାଇଁ ସକ୍ଷମ ହୋଇଥିଲା । କାରଣ ସେ ଏକାକି ଯେତିକି କରିଛନ୍ତି ଦଳର ସବୁ ଖେଳାଳି ମିଶି ସେତିକି ରନ କରିନାହାଁନ୍ତି । ତେବେ ଓଡିଶାର ବୋଲିଂରେ ଭଲ ପ୍ରଦର୍ଶନ ହୋଇଥିଲା । ଓଡିଶା ପକ୍ଷରୁ ବିପ୍ଳବ ସାମନ୍ତରାୟ ଏବଂ ପପୁ ରାୟ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ସୂର୍ଯ୍ୟକାନ୍ତ,ଦେବୋବ୍ରତ ଏବଂ ରାଜେଶ ଗୋଟିଏ ଲେଖାଏଁ ୱିକେଟରେ ସନ୍ତୁଷ୍ଠ ହୋଇଥିଲେ ।
ଓଡିଶା ଆଗରେ ମାତ୍ର ୧୫୬ ରନର ବିଜୟ ଲକ୍ଷ ଥିବା ବେଳେ ଓଡିଶା ମାତ୍ର ୧୦୪ରନରେ ଅଲଆଉଟ ହୋଇଥିଲା । ଫଳରେ ଦଳ ୫୧ ରନରେ ମ୍ୟାଚଟି ହାରିଯାଇଛି । ଦଳର କୌଣସିବି ଖେଳାଳି ପଡିଆରେ ତିଷ୍ଠି ପାରନଥିଲେ । କର୍ଣ୍ଣାଟକର ଘାତକ ବୋଲିଂରେ ଓଡିଶା ଧୂଳି ଚାଟିଛି । କର୍ଣ୍ଣାଟକ ପକ୍ଷରୁ କ୍ରିଷାପା ୪ଟି ୱିକେଟ ନେଇଥିବା ବେଳେ କୌଶିକ ୩ଟି,ସୁଚିଥ ୩ଟି ଏବଂ ବିନୟ କୁମାର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।