ଭୁବନେଶ୍ୱର (ଏଟିଆର ବ୍ୟୁରୋ); ତୁଳସୀ ଦୁଇ ପତ୍ରରୁ ବାସେ । ଜଙ୍ଗଲରେ କାଠ କାଟିବ,ମୂଲ ଲାଗୁଥିବା ଏବଂ ପତ୍ର ଗୋଟାଇବା ଭଳିସ କାମ କରୁଥିବା ଝିଅ ଆଜି ଭାରତୀୟ ମହିଳା ରଗବି ଦଳରେ ସ୍ଥାନ ପାଇଛନ୍ତି । ଦୃଢ଼ ମନୋବୃତ୍ତି ଏବଂ କଠିନ ପରିଶ୍ରମ ପାଇଁ ଆଜି ଏତେ ବଡ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଯାଉଛନ୍ତି ଓଡିଆ ଝିଅ ହୁପି ମାଝୀ । ଫିଲିଫାଇନସରେ ଆସନ୍ତା ଜୁନ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମହିଳା ରଗବି ଚାମ୍ପିୟନସିପରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ହୁପି । ଯାହାକି ସମଗ୍ର ଓଡିଶା ପାଇଁ ଗର୍ବ ଏବଂ ଗୌରବର କଥା ।
କେନ୍ଦୁଝର ଜିଲ୍ଲା ଧାତିକା ଗାଁରେ ହେଉଛି ହୁପିଙ୍କ ଘର । ବଳରାମ ମାଝୀ ଏବଂ ଗୁମି ମାଝୀଙ୍କ ସୁଯୋଗ୍ୟା କନ୍ୟା ହେଉଛନ୍ତି ହୁପି । ପିଲାଟି ଦିନରୁ ବଡ ଆଶା ରହିଥିଲା । କିନ୍ତୁ ଗାଁ ସ୍କୁଲରେ ପାଠ ପଢ଼ିବା ସହିତ ଆର୍ଥିକ ଅନାଟନ ତାଙ୍କ ବାଟ ଓଗାଳିଥିଲା । ଶେଷରେ କୌଣସି ମତେ ସେ ଭୁବନେଶ୍ୱର ଆସିଥିଲେ ଏବଂ କିଟରେ ପାଠ ପଢ଼ିଥିଲେ । ପାଠ ପଢ଼ା ସାଙ୍ଗକୁ ଖେଳ କୁଦରେ ବେଶ ମନ ଦେଇଥିଲେ ହୁପି ।
କଠିନ ପରିଶ୍ରମ ପାଇଁ ହୁପି ପ୍ରଥମେ ଜିଲ୍ଲା ସ୍ତରୀୟ ହୋଇଥିବା ରଗବି ଖେଳରେ ସଫଳତା ପାଇଥିଲେ । ଏହାପରେ ଆଉ ପଛକୁ ଚାହିଁ ନାହାଁନ୍ତି ହୁପି । ଗୋଟିଏ ପରେ ଗୋଟିଏ ସଫଳତା ଅର୍ଜନ କରିଥିଲେ । ୨୦୧୧ ମସିହାରେ ଝାଡ଼ଖଣ୍ଡରେ ହୋଇଥିବା ୧୬ ବର୍ଷରୁ କମ୍ ଜାତୀୟ ରଗବି ଚମ୍ପିଅନସିପ୍ରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ନଜରକୁ ଆସିଥିଲେ ହୁପି। ୨୦୧୨ ଓ ୨୦୧୩ ମସିହାରେ ସର୍ବଭାରତୀୟ ମହିଳା ରଗବି ଚମ୍ପିଅଆନ୍ସିପ୍ ଖେଳିଥିଲେ। ୨୦୧୫ ମସିହାରେ କେରଳରେ ଖେଳାଯାଇଥିବା ଜାତୀୟ ମହିଳା ରଗବି ଚମ୍ପିଅନସିପରେ ଓଡ଼ିଶା ଦଳର ସଦସ୍ୟ ଥିଲେ।