ବାଙ୍ଗାଲୋର (ଏଟିଆର ବ୍ୟୁରୋ); ଶୁକ୍ରବାର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପୁଣିଥରେ ଗର୍ଜିଛି ରସେଲଙ୍କ ଝଡ । ଛକା ବର୍ଷାରେ ଫାଟି ପଡିଛି ଷ୍ଟାଡିୟମ । ବାଙ୍ଗାଲୋରର ବିଶାଳ ସ୍କୋରକୁ ସହଜରେ ପାର କରିଥିଲା କୋଲକାତା । ତେବେ କୋଲକାତାରର ଏହି ବିଶାଳ ବିଜୟ ପରେ ଦଳ ଚତୁର୍ଥ ସ୍ଥାନରୁ ପଏଣ୍ଟ ଟେବୁଲର ଦ୍ୱୀତୀୟ ସ୍ଥାନରେ ପହଁଞ୍ଚିଛି । ଗତକାଲି ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଦଳ ପକ୍ଷରୁ କୋହଲି ଏବଂ ପାର୍ଥୀବ ପଟେଲ ଆରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିଥିଲେ । ପାୱାର ପ୍ଲେ’ ୬ ଓଭରରୁ ବିନା କ୍ଷତିରେ ୫୩ ରନ୍ ଆଦାୟ କରିଥିଲେ।କୋହଲି ଏବଂ ଡିଭିଳିୟର୍ସଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ବାଙ୍ଗାଲୋର ୨୦୫ କରିବାରେ ସକ୍ଷମ ହୋଇଥିଲା ।
୨୦୫ ରନ୍ ପିଛା କରିଥିବା କେକେଆର୍ ଦଳ ପାୱାର ପ୍ଲେ’ ୬ ଓଭରରେ ୧ ୱିକେଟ୍ ବିନିମୟରେ ୫୯ ରନ୍ କରି ଦୃଢ଼ ମୂଳଦୁଆ ପକାଇଥିଲା। ସୁନୀଲ ନରିନ (୧୦) ଶସ୍ତାରେ ଆଉଟ୍ ହୋଇଯିବା ପରେ କ୍ରିସ୍ ଲିନ୍ (୪୩, ୩୧ ବଲ, ୪ ଚୌକା, ୨ ଛକା) ଏବଂ ରବିନ୍ ଉଥପ୍ପା (୩୩, ୨୫ ବଲ, ୬ ଚୌକା) ୮ ଓଭରରୁ ୬୫ ରନ୍ ଉଠାଇଥିଲେ। ଉଭୟଙ୍କ ୱିକେଟ୍ ନେଇଥିଲେ ଚଳିତ ଋତୁର ପ୍ରଥମ ମ୍ୟାଚ୍ ଖେଳୁଥିବା ବାମହାତୀ ସ୍ପିନର୍ ପବନ ନେଗି। ଏହା ପରେ ନୀତିଶ ରାଣା (୩୭, ୨୩ ବଲ, ୧ ଚୌକା, ୨ ଛକା) ମଧ୍ୟ ଢେର ଲଢ଼ିଥିଲେ। ଶେଷ ୩ ଓଭରରୁ କେକେଆର୍କୁ ୫୩ ରନ୍ ଆବଶ୍ୟକ ପଡ଼ିଥିଲା। ଦୀନେଶ କାର୍ତିକ (୧୯, ୧୫ ବଲ)ଙ୍କ ଆଉଟ୍ କିନ୍ତୁ କେକେଆର୍ ପାଇଁ ବରଦାନ ହୋଇଥିଲା। ଆନ୍ଦ୍ରେ ରସେଲ (୪୮ଞ୍ଚ, ୧୩ ବଲ୍, ୧ ଚୌକା, ୭ ଛକା) ଅସମ୍ଭବକୁ ସମ୍ଭବ କରି ଦେଇଥିଲେ। ୧୮ତମ (ସିରାଜ-ଷ୍ଟୋଇନିସ) ଏବଂ ୧୯ତମ (ସାଉଦି) ଓଭରରୁ ଯଥାକ୍ରମେ ୨୩ ଓ ୨୯ ରନ୍ ଆଦାୟ କରିଥିଲେ ରସେଲ। ସେ ଦ୍ବିତୀୟ ଥର ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।