ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ମିଳିଛି ନୂଆ ଦାୟିତ୍ୱ । କ୍ରିକେଟର ଧୋନିରୁ ଲ୍ୟୁଟନାଣ୍ଟ ଧୋନି ସାଜିବେ ମହେନ୍ଦ୍ର ସିଂହ । ଜୁଲାଇ ୩୧ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବାଟାଲିୟନରେ ହେବେ ସାମିଲ । ତେବେ ଯଦିଓ ଧୋନି ପୂର୍ବରୁ ଭାରତୀୟ ସେନାରେ କାର୍ଯ୍ୟ କରିଛନ୍ତି ତଥାପି ସେ ନିୟମିତ କାମ କରି ନାହାଁନ୍ତି । ଏଥରକ ଅଧିକ ଦିନ ସେନାରେ କ୍ୟାମ୍ପରେ ବିତାଇବେ ଧୋନି । ସେ କାଶ୍ମୀରର ୧୦୬ ଟେରୋଟେରିଆଲ ଆର୍ମି ବାଟାଲିୟନରେ ଯୋଗ ଦେବେ । ସେଠାରେ ସେ ଯବାନଙ୍କ ସହ ଗାର୍ଡ, ପୋଷ୍ଟ ଡ୍ୟୁଟି, ପାଟ୍ରୋଲିଂ ଭଳି କାମ ସମ୍ଭାଳିବେ।
ଧୋନିଙ୍କ ଏହି ଦାୟିତ୍ୱ ପରେ କ୍ରିକେଟ ପ୍ରେମୀଙ୍କ ମନରେ ପ୍ରଶ୍ନ ଉଠିଛି ଧୋନି ଏହି ଦାୟିତ୍ୱ ତୁଲାଇ ପାରିବେ ତ? ତେବେ ସାରା ବିଶ୍ୱରେ ଧୋନିଙ୍କ ପ୍ରଂଶସକମାନେ ଅଧିକ ରହିଛନ୍ତି । ଯେଉଁମାନେ ତାଙ୍କୁ ଅନ୍ଧ ଭଳି ଭଲ ପାଉଛନ୍ତି । ଏଣୁ ସମସ୍ତ ପ୍ରଂଶସକ ଧୋନିଙ୍କ ଏଭଳି ନିଷ୍ପତିକୁ ସମ୍ମାନ ମଧ୍ୟ ଜଣାଇଛନ୍ତି । କାରଣଙ୍କ ଦେଶ ପ୍ରେମ ସମସ୍ତଙ୍କୁ ବେଶ ଭଲ ଭାବରେ ଜଣା । ପୂର୍ବରୁ ପଡିଆରେ ମଧ୍ୟ କିଛି ଦୃଶ୍ୟ ଧୋନିଙ୍କ ଦେଶ ପ୍ରେମକୁ କ୍ରିକେଟ ପ୍ରେମୀଙ୍କୁ ଆତମ୍ବିତ କରିଥିଲା । ଏକଦା ଜଣେ ତାଙ୍କ ପ୍ରଂଶସକ ହାତରେ ତ୍ରିରଙ୍ଗା ଧରି ଧୋନିଙ୍କ ଗୋଡ ଛୁଇଁବା ବେଳେ ପତାକାଟି ପଡିଯାଉଥିଲା । ଯାହାକୁ ଧୋନି ଉଠାଇ ପକାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥିଲା ।
ଧୋନିଙ୍କୁ ୨୦୧୧ ମସିହାରେ ଇଣ୍ଡିଆନ ଟେରିଟୋରିଆଲ ଆର୍ମି ନ୍ୟୁଟଲାଣ୍ଟ ରାଙ୍କ ଦିଆଯାଇଥିଲା । ସେହିପରି ଧୋନି ୨୦୧୫ରେ ସ୍ପେଶାଲ୍ ଫୋର୍ସ ସହ ଟ୍ରେନିଂ କରିସାରିଛନ୍ତି। ଏହି ବର୍ଷ ଏୟାର ପ୍ଲେନରୁ ୫ ଜମ୍ପ ମଧ୍ୟ ମାରିଥିଲେ। ଯେଉଁଥିରେ ସେ ଗୋଟିଏ ଜମ୍ପ ୧୨୦୦ ଫିଟ୍ ଉଚ୍ଚରୁ ମାରିଥିଲେ। ଧୋନି ଏହି ଜମ୍ପ ପୂର୍ବରୁ ପାରାଚ୍ୟୁଟ୍ ସହ ୧୨ ଦିନ ପର୍ୟ୍ୟନ୍ତ ଟ୍ରେନିଂ ଦେଇଥିଲେ। ଏଥର ମଧ୍ୟ ଧୋନି ଏଭଳି ଜମ୍ପ ଲଗାଇପାରନ୍ତି।ରାଞ୍ଚିର ଏହି ବାସିନ୍ଦା କ୍ରିକେଟର୍ ନୁହେଁ ବରଂ ଅନ୍ୟ କିଛି ହେବାକୁ ଚାହୁଁଥିଲେ। ଧୋନି ଏକ ସାକ୍ଷାତକାରରେ କହିଥିଲେ ଯେ ସେ ପିଲାଦିନରୁ ହିଁ ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ।
ଭାରତୀୟ କ୍ରିକେଟକୁ ଧୋନି ବହୁତ ଉପରକୁ ନେଇଛନ୍ତି । ତିନୋଟି ଯାକ ଫର୍ମାଟରେ ଧୋନି ଦଳର ସ୍ଥିତିକୁ ମଧ୍ୟ ପରଖିଥିଲେ । ସେ ଭାରତକୁ ଦୁଇଟି ବିଶ୍ୱକପ ଉପହାର ମଧ୍ୟ ଦେଇଛନ୍ତି । ୨୦୦୭ରେ ପ୍ରଥମେ ଟି-୨୦ ବିଶ୍ୱକପ ଦେଇଥିବା ବେଳେ ୨୦୧୧ରେ ଦ୍ୱିତୀୟ ଭାରତୀୟ ଅଧିନାୟକ ଭାବରେ ଦେଶକୁ ବିଶ୍ୱକପ ଉପହାର ଦେଇଥିଲେ । ଚଳିତ ବିଶ୍ୱକପରେ ଧୋନି ଭଲ ଫର୍ମରେ ମଧ୍ୟ ନଜର ଆସିଥିଲେ । ତେବେ ତାଙ୍କ ଅବସରକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।