ହାମିଲଟନ (ଏଟିଆର ବ୍ୟୁରୋ); ବିଶ୍ୱ ମହିଳା କ୍ରିକେଟ ଜଗତରେ ଭାରତୀୟ ଅଧିନାୟକ ମିତାଲି ରାଜ ହେଉଛନ୍ତି ଜଣେ ଚର୍ଚ୍ଚିତ ଚେହେରା । ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ କରି ବିଶ୍ୱରେ ନିଜକୁ ବେଶ ପରିଚିତ କରାଇଛନ୍ତି ମିତାଲି । ଏବେ ଆଉ ଏକ ନୂଆ ରେକର୍ଡ କରି କ୍ରିକେଟ ପ୍ରେମୀଙ୍କ ମନ ମୋହିଛନ୍ତି ମିତାଲି । ମହିଳା କ୍ରିକେଟ ଜଗତରେ ପ୍ରଥମ ଖେଳାଳି ଭାବରେ ୨୦୦ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ତାଙ୍କ ପୂର୍ବରୁ ଅନ୍ୟ କୌଣସି ମହିଳା ଖେଳାଳି ଏହି ମାଇଲଖୁଣ୍ଟକୁ ପାର କରି ନାହାଁନ୍ତି । ସେ ହେଉଛନ୍ତି ବିଶ୍ୱର ପ୍ରଥମ ମହିଳା ଖେଳାଳି । ଯିଏକି ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହି ମାଇଲଖୁଣ୍ଟ ପାର କରିବା ପରେ ତାଙ୍କ ପାଖକୁ ପ୍ରଂଶସାର ସୁଅ ଛୁଟିଛି ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜରେ ମିତାଲି ୨୦୦ତମ ଦିନିକିଆ ଖେଳିଛନ୍ତି । ଟିମ ମେମ୍ବରଙ୍କ ସହ କେକ କାଟି ଖୁସି ମନାଇଛନ୍ତି ମିତାଲି । ତେବେ ଆଗାମି ଦିନରେ ଏପରି ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରନ୍ତୁ ଏବଂ ଦଳକୁ ସ୍ୱତନ୍ତ୍ର ପରିଚୟ ଦିଅନ୍ତୁ ବୋଲି ବିସିସିଆଇ ପକ୍ଷରୁ ମଙ୍ଗଳ କାମନା କରାଯାଇଛି । ମିତାଲି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ବିଜୟ ହୋଇ ସାରିଛନ୍ତି । ପୁରୁଷ ଦଳଠାରୁ କୌଣସି ଗୁଣରେ କମ ନୁହେଁ ମିତାଲିଙ୍କ ମହିଳା ଦଳ । ଏଭଳି ପ୍ରଂଶସା କରିଛନ୍ତି କ୍ରିକେଟ ପ୍ରେମୀ । ମିତାଲି ୨୦୦ତମ ମ୍ୟାଚରେ ୨୮ ବଲରୁ ମାତ୍ର ୯ ରନ କରିଥିଲେ । ମାତ୍ର ତାଙ୍କର ଦକ୍ଷ ଅଧିନାୟକତ୍ୱ ପାଇଁ ଦଳ ବିଜୟ ହୋଇଥିଲା । ତେବେ ସେ ୧୯୯ତମ ମ୍ୟାଚର ପାଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ୬୬ ରନ କରିଥିଲେ । ଏବଂ ଏହି ମ୍ୟାଚ ବିଜୟ ହେବା ପରେ ଦିନିକିଆ ଶୃଙ୍ଖଳା ବିଜୟ ହୋଇଥିଲା ।
୩୬ ବର୍ଷୀୟ ମିତାଲି ୧୯୯୯ ମସିହାରେ ଭାରତୀୟ ମହିଳା ଦଳରେ ସାମିଲ ହୋଇଥିଲେ । ଦୁଇ ଦଶନ୍ଧି ଧରି ଦଳରେ ରହିବା ଭିତରେ ମିତାଲି ଭାରତକୁ ବହୁତ ବିଜୟ ଦେବା ସହ ବ୍ୟକ୍ତିଗତ ଅଲୋଡା ରେକର୍ଡ କରିଛନ୍ତି । ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ସ୍କୋର ତାଙ୍କ ନାଁରେ ରହିଛି । ସେ ୬୬୨୨ ରନ କରିଛନ୍ତି । ବିଶ୍ୱର ମହିଳା ଖେଳାଳିଙ୍କ ମଧ୍ୟରେ ଏହା ହେଉଛି ସର୍ବୋତମ । ତେବେ ୨୦୦ତମ ମ୍ୟାଚଟି ତାଙ୍କ ପାଇଁ ସବୁଦିନ ମନେ ରହିବ ବୋଲି କହିଛନ୍ତି ମିତାଲି । ଏହି ୨୦୦ କେବଳ ଗୋଟିଏ ସଂଖ୍ୟା ଆଗାମୀ ଦିନରେ ସେ ଭାରତ ପାଇଁ ଆହୁରି ମ୍ୟାଚ ଖେଳିବେ । ଏବଂ ଦଳ ସହିତ ରହିବେ ଏଭଳି ମତ ରଖିଛନ୍ତି ମିତାଲି ।