ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗିଥିବା ବିବାଦ ପ୍ରଭାବ କ୍ରିକେଟରେ ପଡିପାରେ । ଭାରତ ଏବଂ ଅଷ୍ଟେଲିଆ ମଧ୍ୟରେ ପାଞ୍ଚ ଦିନିକିଆ ୱାନ୍ ଡେ ସିରିଜ୍ ର ଅନ୍ତିମ ଦୁଇ ମୁକାବିଲା ପାଇଁ ସ୍ଥାନର ପରିବର୍ତ୍ତନ ହୋଇପାରେ ।
ରିପୋର୍ଟ ମୁତାବକ, ଭାରତ ଏବଂ ପାକିସ୍ତାନ ସୀମା ବିବାଦ ବଢିବାରେ ଲାଗିଛି । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହୀଦ ହେବା ପରେ ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଆତଙ୍କବାଦୀ ଆଡ୍ଡାକୁ ଉଡାଇ ଦେଇଛନ୍ତି । ଏହାପରେ ଭାରତକୁ ପଶିବା ପାଇଁ ପାକିସ୍ତାନୀ ବାୟୁସେନା ଚେଷ୍ଟା କରିଥିଲା । ଏହାସହିତ ଭାରତ ପକ୍ଷରୁ ପାକିସ୍ତାନର ଏକ ବିମାନକୁ ଖସାଇ ଦିଆଯାଇଥିଲା । ସେହି ସମୟରେ ଭାରତର ଜଣେ ପାଇଲଟ ପାକିସ୍ତାନ କବଜାରେ ରହିଥିଲେ । ଭାରତୀୟ ୱିଙ୍ଗ କମାଣ୍ଡଙ୍କୁ ସୁରଟିତ ଭାବେ ଫେରାଇ ଦେବା ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ଦାବି କରାଯାଇଥିଲା । ଶେଷରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଶୁକ୍ରବାର ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ସଂସଦରେ ଘୋଷଣା କରିଥିଲେ ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୱାନ୍ ଡେ ମ୍ୟାଚ୍ ମୋହାଲି ରେ ହେବାକୁ ଅଛି । କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ମ୍ୟାଚ୍ ର ସ୍ଥାନ ପରିବର୍ତ୍ତନ ହୋଇପାରେ । ପ୍ରକୃତରେ ବାୟୁସେନା ବେସ୍ ର ବହୁ ନିକଟତର ମୋହାଲି ଷ୍ଟାଡିୟମ । ଆଗାମୀ ମାର୍ଚ୍ଚ ୧୦ ରେ ଭାରତ ଏବଂ ଅଷ୍ଟ୍ରେଲିଆ ର ମୁକାବିଲା ମୋହାଲି ଷ୍ଟାଡିଅମରେ ହେବ । ସେହିପରି ଦୁହି ଦଳ ମ୍ୟାଚ ମାର୍ଚ୍ଚ ୧୩ ଦିଲ୍ଲୀରେ ଖେଳାଯିବ ।
ମୋହାଲି ଏବଂ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚ୍ କୋଲକତା ଏବଂ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ କରାଯାଇ ପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି । ନିକଟରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍ ଖେଳାଯାଇଥିଲା ।