ଉତ୍ତରାଖଣ୍ଡ (ଏଟିଆର ବ୍ୟୁରୋ); ଫଟାଫଟ କ୍ରିକେଟରେ ନୂଆ ରେକର୍ଡ କରି ଇତିହାସ ରଚିଛି ଆଫଗାନିସ୍ତାନ ଦଳ । ବିଶ୍ୱର ସର୍ବଶ୍ରେଷ୍ଠ ସର୍ବାଧିକ ସ୍କୋର ନିଜ ନାଁରେ ଯୋଡି ଦେଇଛି ଆଫଗାନିସ୍ତାନ । ଟି-୨୦ରେ ୨୭୮ ରନ କରି ବିଶ୍ୱରେକର୍ଡ କରିଛି ଆଫଗାନିସ୍ତାନ । ପୂର୍ବରୁ ସର୍ବାଧିକ ରନ ରେକର୍ଡ ଅଷ୍ଟ୍ରେଲିଆ ନାଁରେ ରହିଥିଲା । ଅଷ୍ଟ୍ରେଲିଆ ଶ୍ରୀଲଙ୍କା ବିପକ୍ଷରେ ୨୦୧୬ରେ ୨୬୩ ରନ କରି ଏହି ରେକର୍ଡର ଅଧିକାରୀ ହୋଇଥିଲା । କିନ୍ତୁ ଗତକାଲି ରାଜିବ ଗାନ୍ଧୀ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ମ୍ୟାଚରେ ଏହି ନୂଆ ରେକର୍ଡ କରିଛି ଆଫଗାନିସ୍ତାନ ।
ଆୟାରଲ୍ୟାଣ୍ଡ ବିପକ୍ଷରେ ଏହି ରେକର୍ଡ କରିଛି ଆଫଗାନିସ୍ତାନ । ତେବେ ଏହି ମ୍ୟାଚରେ ଆହୁରି ମଧ୍ୟ ଏକ ରେକର୍ଡ ସୃଷ୍ଠି ହୋଇଛି । ଓପନର ପାର୍ଟନରସିପ ରେକର୍ଡ ମଧ୍ୟ ହୋଇଛି । ଆଫଗାନିସ୍ତାନର ଦୁଇ ଓପନର ଯୋଡି ପ୍ରଥମ ୱିକେଟରେ ୨୩୬ ରନର କରିଥିଲେ। ଆଉ ଏହି ପାର୍ଟନରସିପ ଅଷ୍ଟ୍ରେଲୀୟ ଯୋଡି ଆରୋନ ଫିଞ୍ଚ ଓ ଡାର୍ସି ସର୍ଟଙ୍କ ୨୨୩ ରନର ପ୍ରଥମ ୱିକେଟ ପାଟନରସିପ ରେକର୍ଡକୁ ମଧ୍ୟ ଭାଙ୍ଗିଛି ।
ଆଫଗାନିସ୍ତାନ ଓପନର ବ୍ୟାଟ୍ସମ୍ୟାନ ହଜରାତୁଲ୍ଲାଙ୍କ ୧୬୨ ରନର ପାଳି ଦର୍ଶକଙ୍କ ମନମୋହିଥିଲା । ତାଙ୍କ ସହ ଉସମାନ ଘାନି ୭୩ ରନର ପାଳି ଖେଳିଥିଲେ । ଦୁହିଁଙ୍କ ଓପନର ଯୋଡି ଭଲ ଖେଳ ପ୍ରଦର୍ଶନ କରିଥିଲେ । ହଜରତୁଲ୍ଲା ଏହି ପାଳିରେ ନିଜର ବିଧ୍ୱଂସୀ ଇନିଂସରେ ୧୧ଟି ଚୌକା ଓ ୧୬ଟି ବିଶାଳ ଛକା ମାରିଥିଲେ । ପ୍ରଥମେ ବ୍ୟାଟିଂ କରି ଆଫଗାନୀସ୍ତାନ ୩ଟି ୱିକେଟ ହରାଇ ୨୭୮ ରନ କରିଥିଲା । ତେବେ ଏହି ବିଶାଳ ସ୍କୋରକୁ ପିଛା କରିବାକୁ ଯାଇ ନିର୍ଦ୍ଧାରିତ ଓଭର ମଧ୍ୟରେ ୧୯୪ କରିଥିଲା । ରସିଦ ଖାନଙ୍କ ଘାତକ ବୋଲିଂ ଆଗରେ ହାର ମାନିଥିଲା ଆୟାରଲ୍ୟାଣ୍ଡ ଦଳ । ରସିଦ ଖାନ ନିର୍ଦ୍ଧାରିତ ୪ ଓଭର ବୋଲିଂ କରି ୨୫ ରନ ବିନିମୟରେ ୪ଟି ୱିକେଟ ଅକ୍ତିଆର କରିଥିଲେ ।