ଅକଲାଣ୍ଡ (ଏଟିଆର ବ୍ୟୁରୋ); ଅଷ୍ଟ୍ରେଲିଆ ଦଖଲ ପରେ ନ୍ୟୁଜିଲାଣ୍ଡ ସିରିଜ ହାତେଇଛି ବିରଟ ବାହିନୀ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ୫ଟି ଦିନିକିଆ ବିଶିଷ୍ଟ ସିରିଜ ସରିନଥିଲେ ମଧ୍ୟ ପ୍ରଥମ ତିନୋଟି ଜିତି ସାରିଛି ଭାରତ । ଏଣୁ ଦିନିକିଆ ସିରିଜ ଭାରତ କବଜାରେ । ଦୀର୍ଘ ଦିନ ହେବ ଦେଶ ପାଇଁ ଖେଳି ଚାଲିଛନ୍ତି ବିରାଟ । ଆଗକୁ ଆସୁଛି କ୍ରିକେଟ ମହାକୁମ୍ଭ ବିଶ୍ୱକପ । ଏହାକୁ ନଜରରେ ରଖି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ବିଶ୍ୱକପ ପୂର୍ବରୁ ଆବଶ୍ୟକ ସମୟ ପାଇଁ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ବାକି ୨ ଦିନିକିଆ ଏବଂ ୩ଟି ଯାକ ଟି-୨୦ରୁ ବିଶ୍ରାମ ଦିଆ ଯାଇଛି ।
ସେପଟେ ବିରାଟ ଜାଗାରେ ଭାରତୀୟ ଦଳର ଦାୟିତ୍ୱ ତୁଲାଇବେ ହିଟମ୍ୟାନ ରୋହିତ ଶର୍ମା । ତିନୋଟି ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ କରିଥିବା ରୋହିତଙ୍କ ଅଧିନାୟକ ଉପରେ ସମସ୍ତଙ୍କ ନଜର । ତେବେ ପୂର୍ବରୁ ରୋହିତ ଦଳର ଅଧିନାୟକ ହୋଇ ଦେଶକୁ ଜିତାଇ ଥିବାର ନଜିର ରହିଛି । କୋହଲିଙ୍କୁ ପରିବାର ସହିତ ଛୁଟି କାଟିବା ପାଇଁ ବିସିସିଆଇ ନିଷ୍ପତି ନେବା ପରେ ତାଙ୍କ ସ୍ଥାନରେ ଯୁବ ଖେଳାଳି ଶୁଭମ ଗିଲଙ୍କୁ ସୁଯୋଗ ମିଳିବ ବୋଲି ସମ୍ଭାବନା ରହିଛି । ଶୁଭମ ଗିଲ ଜଣେ ଉଚ୍ଚ କୋଟିର ଖେଳାଳି । ସେ ୧୯ ବର୍ଷରୁ କମ କ୍ରିକେଟରେ ଭାରତକୁ ବିଶ୍ୱକପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗିଲ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ୨୦୧୮ ସସ୍କରଣ ଖେଳିଥିଲେ । ଏଥିରେ ମଧ୍ୟ ସେ ନିଜର ଭଲ ଖେଳ ପ୍ରଦର୍ଶନ କରିଥିଲେ ।
ନ୍ୟୁଜିଲାଣ୍ଡ ଛାଡିବା ପୂର୍ବରୁ ବିରାଟ ଶୁଭମ ଗିଲଙ୍କୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି ଗିଲ ଜଣେ ପ୍ରତିଭାବାନ ଖେଳାଳି । ସେ ଏବେ ଯେମିତି ଖେଳୁଛନ୍ତି ମୁଁ ତାଙ୍କ ସମୟରେ ୧୦ ପ୍ରତିଶତ ମଧ୍ୟ ନଥିଲି । ଏଣୁ ସେ ଆଗକୁ ଆହୁରି ଭଲ ଖେଳିବେ ଏବଂ ଦଳରେ ନିୟମିତ ଖେଳାଳି ଭାବେରେ ଯୋଗ ଦେବେ । ମୁଁ ନେଟରେ ଶୁଭମଙ୍କ ବ୍ୟାଟିଂ ଦେଖିଛି । ସେ ଜଣେ ଉଚ୍ଚକୋଟିର ଖେଳାଳି । ସେପଟେ ଗିଲ ନିକଟରେ ଯାଇଥିବା ଘରୋଇ କ୍ରିକେଟ ରଣଜି ମଧ୍ୟ ବେଶ ଫର୍ମରେ ରହିଥିଲେ । ବିରାଟ ଗିଲଙ୍କ ସମେତ ପୃଥୀ ‘ଶ’ଙ୍କୁ ମଧ୍ୟ ଭୁସୀୟ ପ୍ରଂଶସା କରିଛନ୍ତି । ସେ କହିଛନ୍ତି ଶ ମଧ୍ୟ କୌଣସି ଗୁଣରେ କମ ନୁହେଁ । ଏଭଳି ଯୁବ ଖେଳାଳି ଦଳରେ ରହିଲେ ଦଳକୁ ନିଶ୍ଚିନ୍ତ ଭାବରେ ସଫଳତା ମିଳିବ । ଏବଂ ସେମାନେ ମଧ୍ୟ ଆଗକୁ ବହୁତ ରେକର୍ଡ ପ୍ରତିଷ୍ଠା କରିପାରିବେ । ଯାହାକି ଦେଶ ପାଇଁ ଗର୍ବ ଏବଂ ଗୌରବର କଥା ।