କଟକ (ଏଟିଆର ବ୍ୟୁରୋ); ରବିବାର କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ମିଜୋରାମକୁ ଭେଟିବ ଓଡିଶା । ଘରୋଇ ମାଟିରେ ବିଜୟ ଆଶା ନେଇ ପଡିଆକୁ ଓହ୍ଲାଇବ । ସେପଟେ ଘରୋଇ ଦଳକୁ ଧୂଳି ଚଟାଇ ବିଜୟ ବାନା ଉଡାଇବା ପାଇଁ ଚେଷ୍ଠା କରିବ ମିଜୋରାମ । ଉଭୟ ଦଳରେ ବହୁ ଯୁବ ଏବଂ ଅଭିଜ୍ଞ ଖେଳାଳି ରହିଛନ୍ତି । ଏଣୁ ଆସନ୍ତା କାଲିର ଏହି ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା କରିଛନ୍ତି । ସୟଦ ମୁଷ୍ଟାକ ଅଲ୍ଲି ଟ୍ରଫିରେ ଓଡିଶା ଏବଂ ମିଜୋରାମ ଗ୍ରୃପ ଡିରେ ରହିଛନ୍ତି । ଆସନ୍ତା କାଲିର ମ୍ୟାଚଟି ଦିନ ଗୋଟାଏ ବେଳେ ଆରମ୍ଭ ହେବ ।
ଓଡିଶା ଯଦି ଏହି ମ୍ୟାଚଟି ଜିତେ ତେବେ ଚଳିତ ବର୍ଷ ସୟଦ ମୁଷ୍ଟାକ ଅଲ୍ଲି ଟ୍ରଫିରେ ପ୍ରଥମ ମ୍ୟାଚ ଜିତିବ । ଶୁକ୍ରବାର ବାରବାଟୀରେ ହରିୟାଣା ବିପକ୍ଷରେ ଖେଳି ଓଡିଶା ୧୦ ରନରେ ପରାସ୍ତ ହୋଇଥିଲା । ସହଜ ବିଜୟକୁ ହାତଛଡା କରିଥିଲା ଓଡିଶା । ମାତ୍ର ୧୪୨ ରନର ବିଭୟ ଲକ୍ଷକୁ ପାର କରପାରିନଥିଲା । ଫଳରେ ନିର୍ଦ୍ଧାରିତ ଓଭର ମଧ୍ୟରେ ୱିକେଟ ଥାଇ ମଧ୍ୟ ୧୦ରନରେ ପରାଜୟ ବରଣ କରିଥିଲା । ଓଡିଶା ପକ୍ଷରୁ ଭଲ ବୋଲିଂ ପ୍ରଦର୍ଶନ କରାଯାଇଥିଲା । ତେବେ ବ୍ୟାଟିଂରେ କେବଳ ବିପ୍ଳବ ସାମନ୍ତରାୟ ଭଲ ପ୍ରଦର୍ଶନ କରିଥିଲେ । ସେ ୪୮ ରନ କରି ରନ ଆଉଟ ହୋଇ ଯାଇଥିଲେ । ମ୍ୟାଚକୁ ହାତକୁ ଆଣୁଥିବା ବେଳେ ଭୁଲ ବୁଝାବଣା ପାଇଁ ରନ ଆଉଟ ହୋଇଯାଇଥିଲେ । ଫଳରେ ଓଡିଶା ହାତରୁ ମ୍ୟାଚ ଖସି ଯାଇଥିଲା । ତେବେ ଆସନ୍ତା କାଲି ମ୍ୟାଚଟିକୁ ବିଜୟ ହେବା ସହିତ ସ୍ଥିତି ଜାହିର କରିବା ପାଇଁ ଚେଷ୍ଠା କରିବ ଓଡିଶା ।