କଟକ (ଏଟିଆର ବ୍ୟୁରୋ); ଘରୋଇ ମାଟିରେ ମିଜୋରାମକୁ ଧୂଳି ଚଟାଇଲା ଓଡିଶା । ସୟଦ ମୁଷ୍ଟାକ ଅଲ୍ଲି ଟ୍ରଫିର ଗ୍ରୃପ ଡିର ରାଉଣ୍ଡ ୩ ମ୍ୟାଚରେ ଓଡିଶା ଏହି ବିଜୟ ହାସଲ କରିଛି । ଓଡିଶା ୯ ୱିକେଟ ବିନିମୟରେ ବିଜୟ ହୋଇଛି । କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳା ଯାଉଥିଲା ଏହି ମ୍ୟାଚ । ଓଡିଶା ପକ୍ଷରୁ ସନ୍ଦୀପ ପଟ୍ଟନାୟକ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ବିଜୟ ଉପହାର ଦେଇଛନ୍ତି । ଚଳିତ ବର୍ଷ ସୟଦ ମୁଷ୍ଟାକ ଅଲ୍ଲି ଟ୍ରଫିରେ ଓଡିଶାର ଏହା ହେଉଛି ପ୍ରଥମ ବିଜୟ । ଓଡିଶା ଘରୋଇ ମାଟିରେ ହରିୟାଣା ସହ ସମୁଖୀନ ହୋଇ ପରାଜୟ ବରଣ କରିଥିଲା । ସେହି ମ୍ୟାଚଟି ମଧ୍ୟ ଓଡିଶା ସପକ୍ଷରେ ଥିଲା କିନ୍ତୁ ଧିମା ବ୍ୟାଟିଂ ପାଇଁ ଦଳ ପରାଜୟ ହୋଇଥିଲା ।
ଆଜିର ମ୍ୟାଚରେ ମିଜୋରାମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୮୯ ରନରେ ନିର୍ଦ୍ଧାରିତ ଓଭର ପୂର୍ବରୁ ଅଲଆଉଟ ହୋଇ ଯାଇଥିଲା । ମିଜୋରାମ ଅଧିନାୟକ ତରୁଆର କୋହଲି ସର୍ବାଧିକ ୩୭ ରନ କରିଥିଲେ । ତାଙ୍କ ପଛକୁ ଖାଦିର ୧୭ ରନ କରିବାରେ ସକ୍ଷମ ହୋଇଥିଲେ । ମାତ୍ର ଦଳର ଅନ୍ୟ କେହିବି ଖେଳାଳି ଦୁଇ ଅଙ୍କ ଛୁଇଁ ନାହାଁନ୍ତି । ଓଡିଶାର ବୋଲିଂ ଆଗରେ ଧରାଶାୟୀ ହୋଇ ଯାଇଥିଲେ ମିଜୋରାମ ବ୍ୟାଟ୍ସମ୍ୟାନ । ଓଡିଶା ପକ୍ଷରୁ ପପୁ ରାୟ ନିଦ୍ଧାରିତ ୪ ଓଭର ବୋଲିଂ କରି ମାତ୍ର ୮ରନ ବିନିମୟରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ରାଜେଶ ମହାନ୍ତି ୨ଟି,ସୂର୍ଯ୍ୟକାନ୍ତ ପ୍ରଧାନ,ଦେବୋବ୍ରତ ପ୍ରଧାନଏବଂ ବିପ୍ଳବ ସାମନ୍ତରାୟ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ମାତ୍ର ୯୦ ରନର ବିଜୟ ଲକ୍ଷକୁ ଓଡିଶା ମାତ୍ର ୧୨ ଓଭର ୫ଟି ବଲରେ ହାସଲ କରିଥିଲା । ଦଳର ଓପନର ବ୍ୟାଟ୍ସମ୍ୟାନ ସ୍ୱସ୍ତିକ ସାମଲ ପ୍ରଥମରୁ ଆଉଟ ହୋଇଯାଇଥିଲେ ସୁଦ୍ଧା ରାଜେଶ ଧୂପର ଏବଂ ସନ୍ଦୀପ ପଟ୍ଟନାୟକ ଯୋଡି ଦଳକୁ ବିଜୟ ଦେଇଥିଲେ । ରାଜେଶ ବ୍ୟକ୍ତିଗତ ୩୮ ରନ କରିଥିବା ବେଳେ ସନ୍ଦୀପ ୫୪ ରନ କରିଛନ୍ତି । ମିଜୋରାମ ପକ୍ଷରୁ କେବଳ ଖାଦିର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।