କଟକ (ଏଟିଆର ବ୍ୟୁରୋ): ଆସନ୍ତା ୨୨ ତାରିଖ ବାରବାଟୀରେ ଭାରତ – ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ସମସ୍ତ କାମ ଶେଷ ପର୍ଯ୍ୟୟରେ ପହଞ୍ଚିଲାଣି । ସଜେଇ ହେଲାଣି ପୁରା ପଡିଆ । ସେପଟେ ଦର୍ଶକମାନଙ୍କ ମଧ୍ୟରେ ଖେଳ ଦେଖିବା ପାଇଁ ଉତ୍ସାହ ବଢିବାରେ ଲାଗିଲାଣି । ତେବେ ଆଜିଠାରୁ ଅଫଲାଇନରେ ଭାରତ- ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ଟିକେଟ ବିକ୍ର ଆରମ୍ଭ କରାଯାଇଛି । ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ କ୍ଲବ, କଲେଜ ଓ ସ୍କୁଲକୁ ଆଜି ଓ କାଲି ଦୁଇ ଦିନ ପାଇଁ ଟିକେଟ ବିକ୍ରି କରାଯିବ । ଓଏସି ସମ୍ମିଳନୀ କକ୍ଷରେ ଦିନ ୧୦ରୁ ସଂନ୍ଧ୍ୟା ୫ଟା ଯାଏ ଟିକେଟ ବିକ୍ରି କରାଯିବ ।
ତେବେ ୮ହଜାର ୯୪୬ଟି ଟିକେଟ ଅନୁବନ୍ଧିତ କ୍ଲବ, କଲେଜ ଓ ସ୍କୁଲକୁ ଦେବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ବଳକା ଟିକେଟ କୁ କାଉଣ୍ଟରକୁ ବିକ୍ରି କରିବା ନିମନ୍ତେ ପଠାଇ ଦିଆଯିବ । ସାଧାରଣ ଦର୍ଶକ ୧୨ଟି କାଉଣ୍ଟରରୁ ୧୯ ଓ ୨୦ ଦୁଇ ଦିନ ମଧ୍ୟରେ ଟିକେଟ କିଣିବେ । ଅନେକ ସମୟରେ ଟିକେଟ ନପାଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ସ୍ଥିତି ମଧ୍ୟ ବିଗିଡି ଯାଇଥାଏ ଯାହାକୁ ଆଖି ଆଗରେ ରଖି ଟିକେଟ ବିକ୍ରି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଉଛି । ଅନ୍ୟପଟେ ହଲ ଭିତରକୁ କେବଳ ଟିକେଟ କିଣୁ ଥିବା ବ୍ୟକ୍ତିଙ୍କୁ ହିଁ ଛଡାଯିବ । ତେବେ କିଛି ଦିନ ତଳେ ହୋଇଥିବା ଅନଲାଇନ ଟିକେଟ ବିକ୍ରିରେ ୮,୧୫୦ଟି ଟିକେଟ ବିକ୍ରି ସରିଥିବା ବେଳେ ଅଫଲାଇନ ପାଇଁ ୧୦,୦୫୦ଟି ଟକେଟ ରଖାଯାଇଛି ।