ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଲୋକଙ୍କୁ କିଭଳି ଭକୁଆ ବନାଯାଏ ତାହାର ଏକ ଝଲକ ହେଉଛି ହକି ୱାର୍ଲଡ କପ ଟିକେଟ । ପ୍ରଥମେ ଅଫ ଲାଇନ ଓ ପରେ ଅନ ଲାଇନ ଟିକେଟ ଦବା ଆଳରେ ହିଁ ଏବେ ଲୋକଙ୍କୁ କେବଳ ଭୁତିଆ ବନାଯାଇଛି । ଆମେ ଏଥିପାଇଁ ଏ କଥା କହୁଛୁ କାରଣ ଅନ ଲାଇନରେ ବି ଟିକେଟ ଖଣ୍ଡେ ମିଳିନଥିବା ଭଳି ସଂଗିନ ଅଭିଯୋଗ ହୋଇଛି ।
ଜଣେ କି’ ଦୁଇଜଣ ନୁହେଁ ବହୁତ ଲୋକେ ଟିକେଟ ପାଇବାରୁ ବଂଚିତ ହୋଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଯେଉଁ ‘ଟିକେଟ ଜେନି’ ସାଇଟରେ ଅନ ଲାଇନ ଟିକେଟ ଉପଲବ୍ଧ ହେବା କୁହାଯାଇଥିଲା ତାହା ଏକ ପ୍ରକାର ବନ୍ଦ ରହିଥିଲା । ସିଧା କହିବାକୁ ଗଲେ ୱେବସାଇଟ ଆଦୌ ଖୋଲିନଥିଲା । ରିପୋର୍ଟ ଅନୁସାରେ, ୨୦ତାରିଖ ଦିନ ୧୨ଟାରେ ଅନ ଲାଇନ ଟିକେଟ ମିଳିବ ବୋଲି କୁହାଯାଇଥିଲା । ଯାହାକୁ ନେଇ ହକି ପ୍ରେମିଙ୍କ ମନରେ ବେଶ ଖୁସି ପରଲକ୍ଷିତ ହୋଇଥିଲା । ହେଲେ ଦୁଃଖର କଥା ଦିନ ୧୨ଟାରେ ଯଦିଓ ଅନ ଲାଇନ ଟିକେଟ ବୁକ କରିବା ପାଇଁ ସୁଯୋଗ ମିଳିଥିଲା । କିନ୍ତୁ ଏହାପରେ ସାଇଟ ଆଉ ଖୋଲିନଥିଲା ।
ଯେତେ ଚେଷ୍ଟା କରାଗଲେ ମଧ୍ୟ ସାଇଟ ପୂରା ହ୍ୟାଙ୍ଗ ହୋଇ ରହିଥିଲା । ହେଲେ ଆଶ୍ଚର୍ଯ୍ୟର କଥା ମାତ୍ର ୩ମିନିଟ ପରେ ଯଦିଓ ସାଇଟ ଖୋଲିଥିଲା କିନ୍ତୁ ସେତେବେଳକୁ ସବୁ କାମ ସରିଯାଇଥିଲା । ମାନେ ଆଉ ଟିକେଟ ଉପଲବ୍ଧ ନଥିବା ୱେବସାଇଟରେ ଦର୍ଶାଯାଇଥିଲା । ଯାହାକୁ ନେଇ ଏବେ ଅସନ୍ତୋଷ ବୃଦ୍ଧି ପାଇଛି । ଅଭିଯୋଗ ହୋଇଛି ଅନ ଲାଇନ ଟିକେଟ ମିଳିବା କଥା କେବଳ ଏକ ଫାର୍ସ ଥିଲା । ଏହାର ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି । ପୂର୍ବରୁ ଅଫ ଲାଇନ ଟିକେଟ ମିଳିବା ନେଇ କଳିଙ୍ଗ ଷ୍ଟାଡିୟମରେ ତୁମୁଳକାଣ୍ଡ ଘଟିଥିଲା । ଟିକେଟ ନଥିବା ଜଣାପଡିବା ପରେ ହକି ପ୍ରେମୀମାନେ ନିରାଶ ହୋଇ କାଉଣ୍ଟରେ ଭଙ୍ଗାରୁଜା କରିଥିଲେ । ପରିସ୍ଥିତି ବିଗିଡି ଯାଇଥିବା ବେଳେ ଠିକ ସେହି ସମୟରେ ଏହି ଅନଲାଇନ ଟିକେଟ ମିଳିବାର ଥୋପ ପକାଯାଇଥିଲା । ଯାହା ସେତେବେଳେ ପରିସ୍ଥିତିକୁ ସାମାନ୍ୟ ଶାନ୍ତ ପକାଇଥିଲା ।
ବିଶ୍ୱାସ ଥିଲା ଅନଲାଇନରେ ହୁଏତ ଟିକେଟ ମିଳିପାରିବ । କିନ୍ତୁ ଅନଲାଇନରେ ଲୋକେ ଠକିବା ପରେ ଏବେ ସେହି ପୁରୁଣା କଥା ସାମ୍ନାକୁ ଆସିଛି । କାଉଣ୍ଟରରେ ମରାଯାଇଥିବା ସେହି ଲେଖା(ଟିକେଟ ଉପଲବ୍ଧ ନାହିଁ) ହିଁ ସତ ପ୍ରମାଣିତ ହୋଇଛି । ଏବେ ପ୍ରଶ୍ନ ଉଠୁଛି ଯଦି ବାସ୍ତବରେ ଟିକେଟ ଉପଲବ୍ଧ ନଥିଲା ତେବେ ଏହି ଅନଲାଇନର ଫାର୍ସ କ’ଣ ପାଇଁ କରାଯାଇଥିଲା? ଏହା ପଛରେ ମୁଖ୍ୟ ଉଦ୍ଦେଶ୍ୟ କ’ଣ? କିଏ ଏହାର ମାଷ୍ଟରମାଇଣ୍ଡ? ଓଡିଶା ଭଳି ସ୍ଥାନରେ ପ୍ରଥମ କରି ହେଉଥିବା ବିଶ୍ୱକପ ଖେଳ ଦେଖିବାକୁ ବଞ୍ଚିତ ରହିଥିବା ଲୋକଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି । କେବଳ ଏତିକି ନୁହେଁ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଟିକେଟ ସବୁ ଗଲା କୁଆଡେ? ସବୁ ଟିକେଟ କ’ଣ ରାଜ୍ୟ ବାହାର ଲୋକ କିଣି ନେଇଛନ୍ତି? ଯଦି ହିଁ ତେବେ ଏହା କେମିତି ସମ୍ଭବ?
ଯଦିବା ଓଡିଶାର କେଉଁ ଲୋକ ଏହି ଟିକେଟ ପାଇଛନ୍ତି ତେବେ ସେମାନଙ୍କ ପଛରେ କେଉଁ ଅଦୃଶ୍ୟ ହାତ ନାହିଁତ? ତେବେ ସେ ଯାହାହେଉ ହକି ବିଶ୍ୱକପ ଟିକେଟ ଆଳରେ ଯେ କେବଳ ଓଡିଶା ବାସିଙ୍କୁ ଭକୁଆ ବନାଯାଇନି ସେକଥାକୁ ଫାଙ୍କି ହେବନାହିଁ ।
ସୂଚନାଯୋଗ୍ୟ, ପ୍ରଥମ କରି ଏହି ହକି ବିଶ୍ୱକପ ମ୍ୟାଚ ୧୯୭୧ମସିହାରେ ଆରମ୍ଭ ହୋଇଥିଲା । ତେବେ ଏହା ଭାରତ ମଧ୍ୟରେ କେବଳ ୩ଥର ଖେଳାଯାଇଛି । ୧୯୮୨ରେ ପ୍ରଥମ କରି ମୁମ୍ବାଇରେ ଓ ପରେ ୨୦୧୦ରେ ଦିଲ୍ଲୀ ଆଉ ଏବେ ଏହା ଅର୍ଥାତ ୨୦୧୮ରେ ଭୁବନେଶ୍ୱରରେ ହେବାକୁ ଯାଉଛି । ହେଲେ ଟିକେଟ ନମିଳିବା ଘଟଣା ଏବେ ହକି ପ୍ରେମୀଙ୍କୁ ଯେତିକି କଷ୍ଟ ଦେଇନାହିଁ ତାଠୁ ଅଧିକ କଷ୍ଟ ଦେଇଛି ଲୋକଙ୍କୁ ହକି ଇଣ୍ଡିଆ ଅନଲାଇନ ଟିକେଟ ଆଳରେ ଛଳନା କରିବା ଘଟଣା ।