ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ବିଶ୍ୱକପ ହକିର ଉଦଘାଟନୀ ଉତ୍ସବର ଅସଲ ଟିକେଟ ମିଳିଲା । ଟିକେଟ ଜେନିନରେ ୨୦ ତାରିଖରେ ଅନଲାଇନରେ ବୁକିଂ କରିଥିବା ଦର୍ଶକମାନେ ଆଜି ସକାଳେ ଲମ୍ବା ଲାଇନ ଲଗାଇ ନିଜର ଅସଲ ଟିକେଟକୁ ସଂଗ୍ରହ କରିଛନ୍ତି । ନିଜର ସରାକରୀ ପ୍ରମାଣ ପତ୍ର ଅଥବା ଭୋଟର କାର୍ଡ ଏବଂ ଆଧାର କାର୍ଡ ଦେଖାଇ କାଉଣ୍ଟରରୁ ଟିକେଟ ନେଇଛନ୍ତି ।
ତେବେ ଏହି ଟିକେଟ ନେବା ପାଇଁ କାଉଣ୍ଟର ସାମ୍ନାରେ ଲାଗିଥିଲା ଳମ୍ବା ଧାଡି । ଉତ୍ସାହର ସହ ଅସଲ ଟିକେଟ ପାଇବା ପାଇଁ ପ୍ରମାଣ ପତ୍ର ଧରି ଅପେକ୍ଷା କରିରହିଥିଲେ ଦର୍ଶକ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଏବଂ କଟକର ଐତିହାସିକ ବାରବାଟୀରେ ଆୟୋଜିତ ହେବ ଦୁଇଟି ଉଦଘାଟନୀ ଉତ୍ସବ ।
କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ବଲିଉଡର ବାଦଶାହା କିଙ୍ଗ ଖାନ ଶାହାରୁଖ ଖାନ ମୁଖ୍ୟ ଆକର୍ଷଣ ସାଜୁଥିବା ବେଳେ ତାଙ୍କ ସହ ଅଛନ୍ତି ବଲିଉଡର ଧକ ଧକ ଗାର୍ଲ ମାଧୁରୀ ଦିକ୍ଷିତ । ଏବଂ କଟକ ଉତ୍ସବରେ ଏଆରରେହେମାନଙ୍କ ସଙ୍ଗୀତ ସନ୍ଧ୍ୟାରେ ଝୁମିବେ ଉପସ୍ଥିତ ଦର୍ଶକ । ଆସନ୍ତା ୨୭ ଏବଂ ୨୮ତାରିଖରେ ଏହି ଉଦଘାଟନୀ ଉତ୍ସବ ଆୟୋଜିତ ହେବ ।
ସର୍ବମୋଟ ୧୧ ହଜାର କଳାକାର ଯୋଗ ଦେଉଥିବା ବେଳେ ଓଡିଶାର ୮ ହଜାର କଳାକାର ନିଜର କଳା ପରିବେଷଣ କରିବେ । ଯାହାକି ଓଡିଶା ପାଇଁ ଏକ ଗର୍ବର ବିଷୟ । ବିଶ୍ୱକପ ପାଇଁ ସାରା ସହର ସଜେଇ ହୋଇଯାଇଥିବା ବେଳେ ଗୋଟିଏ ପରେ ଗୋଟିଏ ଟିମ ଆସି ପହଁଞ୍ଚି ଗଲେଣି । ବିଶ୍ୱର ବଛା ବଛା ୧୩ଟି ଦଳକୁ ନେଇ ଆୟୋଜିତ ହେଉଛି ଏହି ଟୁର୍ଣ୍ଣାମେଣ୍ଟ । ବର୍ତ୍ତମାନ ସୁଦ୍ଧା ୪ଟି ଟିମ ଆସି ପହଁଞ୍ଚିଥିବା ବେଳେ ବାକି ଦଳ ଖୁବ ଶିଘ୍ର ଆସି ପହଁଞ୍ଚି ଯିବେ ।
ରିପୋର୍ଟ ; ଗୁଣନିଧି ବେହେରା