ଲଣ୍ଡନ (ଏଟିଆର ବ୍ୟୁରୋ); ବଟଲର ଏବଂ ରୁଟଙ୍କ ଲଢ଼ୁଆ ଶତକ ସତ୍ତେ୍ୱ ଆୟୋଜକ ଇଂଲଣ୍ଡକୁ ଚକମା ଦେଇ ବିଜୟ ହୋଇଛି ପାକିସ୍ଥାନ । ବିନା ଶତକରେ ପାକିସ୍ଥାନ ବିଶ୍ୱକପରେ ବିଶାଳ ସ୍କୋର କରି ନୂଆ ରେକର୍ଡ କରିଛି । ଇଂଲଣ୍ଡକୁ ୧୪ରନରେ ହରାଇଛି ପାକିସ୍ଥାନ । ରିଆଜଙ୍କ ୪୯ତମ ଓଭର ଖେଳର ମୋଡ ବଦଳାଇ ଦେଇଥିଲା । ଇଂଲଣ୍ଡ ହାତରୁ ଛଡାଇ ଆଣିଥିଲା ମ୍ୟାଚ । ଚଳିତ ବିଶ୍ୱକପରେ ପାକିସ୍ଥାନର ଏହା ପ୍ରଥମ ବିଜୟ ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ଥାନ । ମହମ୍ମଦ ହାଫିଜ (୮୪)ଙ୍କ ନେତୃତ୍ବରେ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୮ ରନ୍ କରି ନେଇଥିଲା। ହାଫିଜଙ୍କ ଛଡ଼ା ବାବର ଆଜମ (୬୩) ଓ ଅଧିନାୟକ ସର୍ଫରାଜ ଅହମ୍ମଦ (୫୫) ମଧ୍ୟ ଅର୍ଧଶତକୀୟ ପାଳି ଖେଳିଥିଲେ। ଏକଦା ପାକିସ୍ତାନ ୪୦୦ ରନ୍ ଛୁଇଁବାର ଆଶା ଥିଲା। ହେଲେ ଶେଷ ଓଭରଗୁଡ଼ିକରେ ଇଂଲଣ୍ଡ ବୋଲର ତୁଳନାତ୍ମକ ଭାବେ ଉନ୍ନତ ବୋଲିଂ କରି ପାକସ୍ତାନକୁ ସାଢ଼େ ୩୦୦ ରନ୍ ତଳେ ଅଟକାଇ ଦେଇଥିଲା।
୩୪୯ ବିଶାଳ ସ୍କୋରକୁ ପାର କରିବା ପାଇଁ ଇଂଲଣ୍ଡ ଏକ ପ୍ରକାର ସଫଳ ହେବାକୁ ଯାଉଥିଲା । ହେଲେ ପୂର୍ବତନ ଅଧିନାୟକ ଜୋ ରୁଟ୍ (୧୦୭ ରନ୍, ୧୦୪ ବଲ୍, ୧୦ ଚୌକା, ୧ ଛକା) ଓ ଜୋସ୍ ବଟଲର (୧୦୩ ରନ୍, ୭୬ ବଲ୍, ୯ ଚୌକା, ୨ ଛକା) ପଞ୍ଚମ ୱିକେଟ୍ରେ ୧୩୦ ରନ୍ ଯୋଡ଼ି ଇଂଲଣ୍ଡକୁ ଆଶା ଦେଇଥିଲେ। ହେଲେ ଉଭୟ ଶତକ ପୂରଣର କିଛି ସମୟ ପରେ ହିଁ ସେମାନଙ୍କୁ ପାକିସ୍ତାନ ବୋଲର ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଫଳରେ ମ୍ୟାଚ୍କୁ ପୁଣି ଥରେ ରୋମାଞ୍ଚ ଫେରିଥିଲା। ଶେଷରେ ଇଂଲଣ୍ଡ ୩୩୪ ରନରେ ଅଟକିଥିଲା ।