ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୌରାଷ୍ଟ୍ରର ପୂର୍ବତନ ଅଧିନାୟକ ସିତାଂଶୁ କୋଟକ ଏବଂ ଭାରତୀୟ ଟିମ୍ ର ପୂର୍ବତନ ଧୁରନ୍ଦର ବୋଲର ପାରସ ମହାମ୍ବ୍ରୋଙ୍କୁ ଇଣ୍ଡିଆ-ଏ ଏବଂ ଅଣ୍ଡର-୧୯ ଟିମ୍ ର କୋଚ କରାଯାଇଛି । ଦୁହେଁ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେବେ । ଏହାସହିତ ଜୁନିଅର ଟିମ୍ ର ସପର୍ଟ ଷ୍ଟାଫ ମଧ୍ୟରେ ବି ପରିବର୍ତ୍ତନ କରାଯାଇଛି ।
ନିକଟରେ ରାହୁଲ ଦ୍ରାବିଡଙ୍କୁ ବାଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ସଂଗଠନରେ କ୍ରିକେଟ ଅପରେଶନ୍ସ ର ମୁଖ୍ୟ ଭାବେ ନିଯୁକ୍ତି କରାଯାଇଛି । ଏହାସହିତ ସେ ଇଣ୍ଡିଆ-ଏ ଏବଂ ଅଣ୍ଡର-୧୯ ଟିମ୍ ର ରୋଡମ୍ୟାପ ପ୍ରସ୍ତୁତ କରିବା ସହିତ ଉପସ୍ଥିତ ଥିବା କୋଚିଂ ମଡ୍ୟୁଲକୁ ଅପଗ୍ରେଡ କରିବାରେ କାମ କରିବେ । ସେଥିପାଇଁ ତାଙ୍କୁ ଏନସିଏ ରେ ଅଧିକ ସମୟ ବିତାଇବାକୁ ହେବ । ଆବଶ୍ୟକତା ପଡିଲେ ସେ ଅଣ୍ଡର-୧୯ କୁ ଯାଇ ପାରନ୍ତି ।
ନିକଟରେ ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ମ୍ୟାଚରେ ଭାରତ ପକ୍ଷରୁ ସିତାଂଶୁ କୋଟାକ ବ୍ୟାଟିଂ କୋଚ୍ ଥିଲେ । ତାଙ୍କ କାମ କରିବାର ଶୈଳୀ ଏବଂ କୋଚିଂ ସ୍କେଲରେ ଦ୍ରାବିଡ ପ୍ରଭାବିତ ହୋଇ ଏହି ନିଷ୍ପତି ନେଇଛନ୍ତି । ସେହପରି ପୂର୍ବ ଧୁରନ୍ଦର ବୋଲର ଭାରତ ପାଇଁ ଦୁଇ ଟେଷ୍ଟ ଏବଂ ତିନି ୱାନଡେ ଖେଳିଛନ୍ତି । ସେ ଗତ ତିନି ବର୍ଷରୁ ଦ୍ରାବିଡଙ୍କ ସହିତ ଇଣ୍ଡିଆ-ଏ ଏବଂ ଅଣ୍ଡର-୧୯ ଟିମ୍ ର ବୋଲିଂ କୋଚ୍ କାମ କରୁଥିଲେ ।
ଏନେଇ ବିସିସିଆଇ ର ଅଧିକାରୀ କହିଛନ୍ତି କି, ‘ଏଥିପାଇଁ ଆଧିକାରିକ ରୂପେ କୌଣସି ଘୋଷଣା କରାଯିବ ନାହିଁ , କାରଣ ଏମାନେ ଏନସିଏ ର ଷ୍ଟାଫ୍ ଏବଂ ଏହା ତାଙ୍କର ଆନ୍ତରିକ ମାମଲା । ’
ସେହିପରି ଇଣ୍ଡିଆର ବୋଲିଂ କୋଚ୍ ଦାୟିତ୍ୱ ମୁମ୍ବାଇର ଅଫ୍ ସ୍ପିନର ରମେଶ ପୋବାର ତୁଲାଇବେ, ଯିଏ ନିକଟରେ ଭାରତୀୟ ଟିମ୍ ର କୋଚ୍ ଥିଲେ । ୱେଷ୍ଟଇଣ୍ଡିଜ୍ ରେ ହୋଇଥିବା ମହିଳା ବିଶ୍ୱ ଟି-୨୦ ପରେ ମିତାଲି ରାଜଙ୍କ ସହ ବିବାଦକୁ ନେଇ ରମେଶ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।