ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମାହାକୁମ୍ଭ । ଦିନିକିଆ ବିଶ୍ୱକପରେ ଭାଗ ନେବା ପାଇଁ ଆଜି ଇଂଲଣ୍ଡ ଗସ୍ତରେ ବାହାରୁଛି ଭାରତୀୟ ଦଳ । ଦେଶବାସୀଙ୍କ ଶୁଭେଛା ଏବଂ କ୍ରିକେଟ ପ୍ରେମୀଙ୍କ ଅତୁଟ ଭରଷାକୁ ନେଇ ୧୫ ଜଣିଆ ଦଳ ଏବଂ ବାକି ସଦସ୍ୟମାନେ ଇଂଲଣ୍ଡ ଗସ୍ତରେ ବାହାରିବେ । ବିଶ୍ୱକପରେ ଭାଗ ନେବାକୁ ଥିବା ୧୦ଟି ଦେଶ ମଧ୍ୟ ବାକି ସବୁ ଦେଶ ପହଁଞ୍ଚି ସାରିଲେଣି ।
ବିଶ୍ୱକପ ପାଇଁ ସବୁ ଦେଶ ଜୋରଦାର ଅଭ୍ୟାସ କରୁଥିବା ବେଳେ ଭାରତୀୟ ଖେଳାଳିମାନେ ପରିବାର ଲୋକଙ୍କ ସହ ସମୟ କାଟିବା ପାଇଁ ସୁଯୋଗ ଦେଇଥିଲା ବିସିସିଆଇ । ମାନସିକ ସ୍ତରରେ ଦୃଢ଼ ରହିବା ପାଇଁ ଏଭଳି ନିଷ୍ପତି ନିଆଯାଇଥିଲା । ନିକଟରେ ଖେଳାଳିମାନେ ଘରୋଇ ପରିବେଶରେ ଆଇପିଏଲ ଖେଳିଛନ୍ତି । ଏଣୁ ବିଶ୍ୱକପ ପୂର୍ବରୁ ଏତେ ପ୍ରେସର କରି ଅଭ୍ୟାସ ନକରାଇ ସେମାନଙ୍କୁ ବିଶ୍ରାମ ଦିଆଯାଇଛି ।
ବିଶ୍ୱକପରେ ସବୁ ଦେଶ ୯ଟି ଲେଖାଏଁ ମ୍ୟାଚ ଖେଳିବେ । ଶୀର୍ଷ ୪ଟି ଦଳ ସେମିଫାଇନାଲ ପାଇଁ ଉନ୍ନୀତ ହେବ । ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୁନ ୫ରେ ପ୍ରଥମ ମ୍ୟାଚ ଆରମ୍ଭ କରିବ । ତେବେ ସବୁଠାରୁ ପାକିସ୍ତାନ ବିପକ୍ଷ ମ୍ୟାଚ ଉପରେ ରହିବ ସମସ୍ତଙ୍କ ନଜର । ଭାରତ ବିଶ୍ୱକପରେ କେବେ ବି ପାକିସ୍ତାନଠାରୁ ହାରିନାହିଁ । ଭାରତ ଚଳିତ ବିଶ୍ୱକପ ଟାଇଟଲ ହାସଲ କରିବାର ଏକ ନମ୍ବର ଦାବିଦାର ରହିଛି । ଭାରତ ପୂର୍ବରୁ ଦୁଇଟି ବିଶ୍ୱକପ ଅକ୍ତିଆର କରିଛି । କୋହଲିଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବାକୁ ଯାଉଛି ।