ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ସୌରଭ ଗାଙ୍ଗୁଲିଙ୍କୁ ଆଜି ଅଧିକାରିକ ଭାବେ ବିସିସିଆଇ ର ୩୯ତମ ଅଧ୍ୟକ୍ଷ ଭାବେ ବଛାଯାଇଛି । ମୁମ୍ବାଇ ବୋର୍ଡର ହେର୍ଡକ୍ୱାଟରରେ ଆଜି ସକାଳ ପ୍ରାୟ ୧୧.୩୦ ସମୟରେ ଗାଙ୍ଗୁଲିଙ୍କୁ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ବାର୍ଷିକ ବୈଠକରେ ଜୟ ଶାହା ଏବଂ ସିଇଓ ପ୍ରମୁଖ ବିନୋଦ ରାୟ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ପାଖାପାଖି ୩୦ ମାସର ଲମ୍ବା ସମୟ ପରେ ବିସିସିଆଇକୁ ଏବେ ଅଧ୍ୟକ୍ଷ ମିଳିବ । ଗାଙ୍ଗୁଲିଙ୍କ ବ୍ୟତିତ ବୋର୍ଡର ଅନ୍ୟ ସଦସ୍ୟ ବି ନିଜ ନିଜର ଦାୟିତ୍ୱ ସମ୍ଭାଳିବେ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ପୁଅ ଜୟ ଶାହା (ଗୁଜୁରାଟ) ସଚିବ, ଉତ୍ତରାଖଣ୍ଡର ମହିମା ବର୍ମା ଉପାଧ୍ୟକ୍ଷ, ବିସିସିଆଇର ପୂର୍ବ ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକରେଙ୍କ ଛୋଟ ଭାଇ ଅରୁଣ ଧୂମଲ (ହିମାଚଳ ପ୍ରଦେଶ) କୋଷାଧ୍ୟକ୍ଷ ଏବଂ ଜୟେଶ ଜର୍ଜ (କେରଳ) ସଂଯୁକ୍ତ ସଚିବ ହେବେ ।
କେବଳ ଦଶ ମାସ ଯାଏଁ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱରେ ଗାଙ୍ଗୁଲି ରହିବେ । ଆଗାମୀ ବର୍ଷ ଜୁଲାଇ ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ । ନୂତନ ନିୟମ ମୁତାବକ ଯେକୌଣସି ସଦସ୍ୟ ଲଗାତର ଛଅ ବର୍ଷ ଯାଏଁ କ୍ରିକେଟ ବୋର୍ଡ ଯେକୌଣସି ପଦରେ ରହିପାରିବେ । ପୂର୍ବରୁ ଗାଙ୍ଗୁଲି ପାଞ୍ଚ ବର୍ଷ ଦୁଇ ମାସ କୋଲକାତା କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିବାରୁ ବିସିସିଆଇ ରେ ତାଙ୍କର କାର୍ଯ୍ୟକାଳ କେବଳ ୧୦ ମାସ ପାଇଁ ରହିବ ।