ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପରେ ଖାତା ଖୋଲିଲା ଶ୍ରୀଲଙ୍କା । ଆଫଗାନିସ୍ଥାନକୁ ହରାଇବା ପରେ ବିଜୟ ଅଭିଯାନ ଆରମ୍ଭ କରିଛି ସିଂହଳି ଦଳ । ଗତକାଲି ବିଶ୍ୱକପର ୭ତମ ମ୍ୟାଚରେ ୩୪ରନରେ ବିଜୟୀ ହୋଇଛି ଶ୍ରୀଲଙ୍କା । ମାଲିଙ୍ଗା ଏବଂ ପ୍ରଦୀପଙ୍କ ବୋଲିଂ ଆଗରେ ଚିତପଟାଙ୍ଗ ମାରିଥିଲେ ଆଫଗାନିସ୍ଥାନ ବ୍ୟାଟ୍ସମ୍ୟାନ । ଏହି ପରାଜୟ ପରେ ଆଫଗାନିସ୍ଥାନ ବିଶ୍ୱକପରେ ଦ୍ୱିତୀୟ ପରାଜୟ ବରଣ କରିଛି । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା ଦଳ ।
ଶ୍ରୀଲଙ୍କାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଦିମୁଥ କରୁଣାରତ୍ନେ (୩୦ ରନ୍, ୪୫ ବଲ୍, ୩ ଚୌକା) ଓ କୁଶଲ ପେରେରା (୭୮ ରନ୍, ୮୧ ବଲ୍, ୮ ଚୌକା) ପ୍ରଥମ ୧୦ ଓଭରରେ ୭୯ ରନ୍ ଅମଳ କରିଥିଲେ। ଉଭୟ ପ୍ରଥମ ୱିକେଟ୍ରେ ୯୨ ରନ୍ ବି ଯୋଡ଼ିଥିଲେ। ଏପରିକି ଶ୍ରୀଲଙ୍କା ମାତ୍ର ଗୋଟିଏ ୱିକେଟ୍ ବିନିମୟରେ ୧୪୩ ରନ୍ କରି ନେଇଥିଲା। ଶେଷରେ ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ ୨୦୧ କରିବାରେ ସକ୍ଷମ ହୋଇଥିଲା ।
ମ୍ୟାଚରେ ବର୍ଷା ବାଧକ ସାଜିବାରୁ ଆଫଗାନିସ୍ଥାନକୁ ୧୮୭ ରନର ବିଜୟ ଲକ୍ଷ୍ୟ ଦିଆଯାଇଥିଲା । ଜବାବରେ ଆଫଗାନିସ୍ତାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୩୨.୪ ଓଭରରେ ୧୫୨ ରନ୍ରେ ଅଲଆଉଟ୍ ହୋଇ ଯାଇଥିଲା। ନାଜିବୁଲ୍ଲା ଜର୍ଦାନ (୪୩) ଓ ହଜରତୁଲ୍ଲା ଜଜାଇ (୩୦)ଙ୍କ ଛଡ଼ା ଅନ୍ୟ କୌଣସି ଆଫଗାନ ବ୍ୟାଟ୍ସମ୍ୟାନ୍ ପ୍ରଭାବୀ ପ୍ରଦର୍ଶନ କରି ପାରି ନଥିଲେ। ଶ୍ରୀଲଙ୍କାର ଅଭିଜ୍ଞ ବୋଲର ଲସିଥ ମାଲିଙ୍ଗା (୩/୩୯) ଓ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ନୂୱାନ ପ୍ରଦୀପ (୪/୩୧) ୭ ୱିକେଟ୍ ବାଣ୍ଟିନେଇ ଶ୍ରୀଲଙ୍କାକୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ।