ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲରେ ବାଙ୍ଗାଲୋର ପ୍ରଥମରୁ ଖରାପ ପ୍ରଦର୍ଶନ କରିଥିଲେ ସୁଦ୍ଧା ଶେଷ ସମୟରେ ବିଜୟ ହାସଲ କରି ପୁଣିଥରେ ସିରିଜକୁ କମବ୍ୟାକ କରିଛି । ତେବେ ଏହି ସମୟରେ ଦଳକୁ ଲାଗିଛି ଶକ୍ତ ଝଟକା । ବାଙ୍ଗାଲୋରର ଭରଷାଯୋଗ୍ୟ ବୋଲର ଷ୍ଟେନଙ୍କ କାନ୍ଧରେ ଆଘାତ କାରଣରୁ ବାକିଥିବା ମ୍ୟାଚରୁ ତାଙ୍କୁ ବିଶ୍ରାମ ଦିଆଯାଇଛି । କାରଣ ଆସନ୍ତା ମେ’୩୦ କ୍ରିକେଟ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି । ଷ୍ଟେନ ଚଳିତ ବର୍ଷ ମାତ୍ର ଦୁଇଟି ମ୍ୟାଚ ଆଇପିଏଲରେ ଖେଳିଛନ୍ତି । ଦୁଇଟିଯାକ ମ୍ୟାଚରେ ଜବରଦସ୍ତ ବୋଲିଂ କରି ଦଳକୁ ବିଜୟ ମଧ୍ୟ କରାଇଛନ୍ତି । ବୋଲିଂରେ ଦୁର୍ବଳ ଥିବା ବାଙ୍ଗାଲୋର ଷ୍ଟେନଙ୍କ ସାମିଲ ପରେ ଶକ୍ତିଶାଳୀ ହୋଇଥିଲା । କିନ୍ତୁ ଏବେ ସେ ଆହତ ହେବା ପରେ ପ୍ରଂଶସକଙ୍କ ମନ ପୁଣିଥରେ ଦୁଃଖ ହୋଇଯାଇଛି ।
ବାଙ୍ଗାଲୋର ବୋଲର କୁଲଟରନାଇଲ ଆହତ ହେବା ପରେ ତାଙ୍କ ସ୍ଥାନରେ ଷ୍ଟେନ ଦଳରେ ସାମିଲ ହୋଇଥିଲେ । କିନ୍ତୁ ଏବେ ସେ ଆହତ ହେବା ପରେ ସାଉଥି ନିୟମିତ ଭାବରେ ଦଳରେ ଖେଳିବେ । ଗତକାଲି ସାଉଥୀ ପଞ୍ଜାବ ବିପକ୍ଷରେ ଡେଥ ଓଭରରେ ଭଲ ବୋଲିଂ କରିଥିଲେ । କିନ୍ତୁ ଷ୍ଟେନଙ୍କୁ ଅଧିକ କ୍ରିକେଟ ପ୍ରେମୀ ଭରଷା ରଖିଥାନ୍ତି । ପ୍ଳେଅଫ ପାଇଁ ବାଙ୍ଗାଲୋର ପ୍ରଥମରୁ କଟିଯିବ ବୋଲି ସମସ୍ତେ ଭାବୁଥିଲେ । କିନ୍ତୁ ଶେଷ ସମୟରେ ଦଳର ପ୍ରଦର୍ଶନ ପୁଣିଥରେ ଆଶା ଉଜିବତ କରିଥିଲା । କିନ୍ତୁ ଆହତ ସମସ୍ୟା ପୁଣିଥରେ ଦଳର ମୁଣ୍ଡ ବିନ୍ଧାର କାରଣ ହୋଇଛି ।