ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ସ୍ପଟ ଫିକ୍ସିଂ କେଳେଙ୍କାରୀରେ ଫସିଥିବା ଶ୍ରୀଶନ୍ଥ ସୁପ୍ରିମକୋର୍ଟଙ୍କ ପ୍ରଶ୍ନବାଣରେ ଛନ୍ଦି ହୋଇ ଯାଇଛନ୍ତି । ବିସିସିଆଇ ଏହି କେରଳି ଦ୍ରୃତ ବୋଲରଙ୍କୁ ଆଜିବନ ବାସନ୍ଦ କରିଛି । ତେବେ ତଳ କୋର୍ଟରେ ଅପିଲ କରିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ନ୍ୟାୟ ପାଇ ନଥିଲେ । ଫଳରେ ସେ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ । ମାତ୍ର ସୁପ୍ରିମକୋର୍ଟର ପ୍ରଶ୍ନବାଣରେ ଘାଇଲା ହୋଇ ଯାଇଛନ୍ତି ଶ୍ରୀଶନ୍ଥ । ତେବେ ୩୫ ବର୍ଷିୟ ଶ୍ରୀଶନ୍ଥ ଏକ ପ୍ରକାର କ୍ରିକେଟ ଜଗତର ମୋହ ଛାଡି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ସୂଚନା ଯୋଗ୍ୟ, ୨୦୧୩ ମସିହା ଆଇପିଏଲ ସସ୍କରଣରେ ସ୍ପଟ ପିକ୍ସିଂରେ ଫସିଥିଲେ ଶ୍ରୀଶନ୍ଥ । ତେବେ ଏହି ମାମଲାରେ ତାଙ୍କ ସହ ୩୬ ଜଣ ଜଡିତ ଥିଲେ । ଏଣୁ ଦିଲ୍ଳୀ ପୋଲିସ ଗିରଫ କରିଥିଲା । ଏଥି ମଧ୍ୟରେ ଅଜିତ ଚାନ୍ଦିଲା ଏବଂ ଅଙ୍କିତ ଚଭନ ମଧ୍ୟ ରହିଥିଲେ । ତେବେ ଶ୍ରୀଶାନ୍ତ, ଚାନ୍ଦିଲା ଓ ଚଭନଙ୍କ ସହ ଅନ୍ୟମାନେ ୨୦୧୫ ଜୁଲାଇରେ ଏକ ତଳିଆ କୋର୍ଟ ଦ୍ବାରା ଦୋଷ ମୁକ୍ତ ହୋଇଥିଲେ। ହେଲେ ବିସିସିଆଇ ଜାରି କରିଥିବା ବାସନ୍ଦାଦେଶ ଉଠାଇବାକୁ ମନା କରି ଦେଇଥିଲା। କେରଳ ଉଚ୍ଚ ନ୍ୟାୟାଳୟଙ୍କ ଜଣିକିଆ ଖଣ୍ଡପୀଠ ଶ୍ରୀଶାନ୍ତଙ୍କ ବାସନ୍ଦାଦେଶକୁ ଉଠାଇ ଦେଇଥିଲେ। ତେବେ ବିସିସିଆଇ ଏହା ବିରୋଧରେ ଅପିଲ କରିବା ପରେ ଏକ ବିଭାଜିତ ଖଣ୍ଡପୀଠ ବାସନ୍ଦାଦେଶକୁ ପୁନର୍ବାର ଅବସ୍ଥାପିତ କରିଦେଇଥିଲା।
ଆଇପିଏଲ ୨୦୧୩ ସଂସ୍କରଣ ବେଳେ ବୁକି ତାଙ୍କ ସହ ଅନ୍ୟ କେତେକ ଖେଳାଳିଙ୍କୁ ଫିକ୍ସିଂ ପାଇଁ ଅନୁରୋଧ କରିଥିବା କଥା ଗୁରୁବାରର ଶୁଣାଣି ବେଳେ ସେ ନିଜ ଓକିଲଙ୍କ ମାଧ୍ୟମରେ ସ୍ବୀକାର କରିଥିଲେ। ହେଲେ ନିଜେ ଏଥିରେ କୌଣସି ଉପାୟରେ ଜଡ଼ିତ ନଥିବା ଦାବି କରିଥିଲେ। ଉଚ୍ଚତମ ନ୍ୟାୟାଳୟ କିନ୍ତୁ ତାଙ୍କ କଥାକୁ ବିଶ୍ବାସ କରି ନଥିଲେ। ବରଂ ତୁମେ ଯଦି ଫିକ୍ସିଂ ବିଷୟରେ ଜାଣିଥିଲ, ତାହାଲେ ଏକଥା ତୁରନ୍ତ ବିସିସିଆଇକୁ କାହିଁକି ଜଣାଇଲ ନାହିଁ ବୋଲି ପାଲଟା ପ୍ରଶ୍ନ କରିଥିଲେ। ବିସିସିଆଇକୁ ଏହି ବିଷୟରେ କୌଣସି ସୂଚନା ଦେଇ ନଥିବାରୁ ତୁମ ହାବଭାବ ନେଇ ଆମର ସନ୍ଦେହ ରହିଛି ବୋଲି ନ୍ୟାୟାଳୟ ଖୋଲାଖୋଲି ଭାବେ କହିଥିଲେ। ୩୫ ବର୍ଷୀୟ ଶ୍ରୀଶାନ୍ତ ତାଙ୍କ ଉପରେ ଜାରି ହୋଇଥିବା ଆଜୀବନ ବାସନ୍ଦାଦେଶକୁ କେରଳ ଉଚ୍ଚ ନ୍ୟାୟାଳୟ ପୁନଃ ଅବସ୍ଥାପିତ କରିବା ବିରୋଧରେ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ହାନ୍ସି କ୍ରୋନିଏଙ୍କ ପରେ ଶ୍ରୀଶନ୍ଥ ହେଉଛନ୍ତି ଦ୍ୱିତୀୟ ଖେଳାଳି ଯିଏକି ପାଇଁ ଆଜିବନ ବାସନ୍ଦ ହୋଇଛନ୍ତି । ସେପଟେ ପ୍ରଥମ ଭାରତୀୟ ଖେଳାଳି ଭାବରେ ଆଜିବନ ବାସନ୍ଦର ଶିକାର ହୋଇଛନ୍ତି ଶ୍ରୀଶନ୍ଥ । ପୂର୍ବରୁ ଯେଉଁ ଖେଳାଳିଙ୍କ ଉପରେ ଆଜିବନ ବାସନ୍ଦ ଲାଗିଥିଲା ସେମାନଙ୍କ ଉପରେ କିଛି ବର୍ଷ ପରେ ହଟାଇ ଦିଆ ଯାଇଛି । ପୂର୍ବତନ ଭାରତୀୟ ଖେଳାଳି ମହମ୍ମଦ ଆଝାରୁଦ୍ଧିନଙ୍କ ଉପରେ ଲାଗିଥିବା ଆଜିବନ ବାସନ୍ଦାଦେଶ ୨୦୧୨ ମସିହାରେ ହଟାଯାଇଛି । ମାତ୍ର ଶ୍ରୀଶନ୍ଥଙ୍କ ପ୍ରତି ବିସିସିଆଇ ଅଧିକ କଠୋଣ ହୋଇ ଯାଇଥିବା ତାଙ୍କ ଓକିଲ ଯୁକ୍ତି କରିଛନ୍ତି । ୨୦୦୭ ଟି-୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପରେ ଶ୍ରୀଶନ୍ଥଙ୍କର ବହୁତ ବଡ ଅବଦାନ ରହିଥିଲା ।