ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଇସିସି ଟେଷ୍ଟ ର୍ୟାଙ୍କିଂରେ ପୁଣିଥରେ ୧ ନମ୍ବର ସ୍ଥାନରେ ରହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ପର୍ଥ ଟେଷ୍ଟରେ ଶତକ ହାସଲ ପରେ ର୍ୟାଙ୍କିଂରେ ପଏଣ୍ଟ ବଢ଼ିବା ସହ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଶତକ ପରେ ତାଙ୍କୁ ମିଳିଛି ୯୩୪ ପଏଣ୍ଟ । କୋହଲିଙ୍କ ପଛକୁ ଅଛନ୍ତି ନିଉଜିଲାଣ୍ଡ ଖେଳାଳୀ କେନ ୱିଲିୟମସନ । ସେ ବିରାଟ କୋହଲିଙ୍କ ଠାରୁ ୧୯ ପଏଣ୍ଟ ପଛରେ ରହିଛନ୍ତି । ତେବେ ସଦ୍ୟ ପ୍ରକାଶ ପାଇଥିବା ଏହି ର୍ୟାଙ୍କିରେ ଭାରତର ଉପଅଧିନାୟକ ରାହାଣେ ୧୫ ନମ୍ବର ସ୍ଥାନରେ ଅଛନ୍ତି ଏବଂ ଚେତେଶ୍ୱର ପୁଜାରା ୪ ନମ୍ବର ସ୍ଥାନରେ ରହିଛନ୍ତି ।
ସେପଟେ ବୋଲିଂ ର୍ୟାଙ୍କିଂରେ ସାମି ଏବଂ ବୁମରାଙ୍କର ସ୍ଥାନ ଉପରକୁ ଉଠିଛି । ସାମି ପର୍ଥ ଟେଷ୍ଟରେ ୫ଟି ୱିକେଟ ନେବା ପରେ ୨୧ ନମ୍ବରକୁ ଉନ୍ନିତ ହୋଇଥିବା ବେଳେ ବୁମରା ୨୮ ନମ୍ବରରେ ରହିଛନ୍ତି । ତେବେ ବୋଲରଙ୍କ ଭିତରେ ଦକ୍ଷିଣ ଆଫ୍ରିକାର ରାବାଡା ଏକ ନମ୍ବର ସ୍ଥାନରେ ରହିଛନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ ଜାଡେଜା ୫ ନମ୍ବରରେ ରହିଥିବା ବେଳେ ଅଶ୍ୱିନୀ ୬ ନମ୍ବର ସ୍ଥାନରେ ରହିଛନ୍ତି । ଟପ ୩୦ ଭିତରେ ଇଶାନ୍ତ ଶର୍ମା ୨୬ ନମ୍ବରରେ ଥିବା ବେଳେ ଉମେଶ ଯାଦବ ୩୦ ନମ୍ବରରେ ରହିଛନ୍ତି ।