ମାଞ୍ଚେଷ୍ଟର (ଏଟିଆର ବ୍ୟୁରୋ); ଚଳିତ ବିଶ୍ୱକପରେ ଭାରତ ଅପରାଜୟ ରହିଛି । ସବୁ ଦଳ ହାରିଥିବା ବେଳେ ଭାରତ ଏବେ ସୁଦ୍ଧା ଗୋଟିଏ ବି ମ୍ୟାଚ ହାରିନାହିଁ । ଭାରତ ୬ଟି ମ୍ୟାଚରୁ ୫ଟି ଜିତିଥିବା ବେଳେ ଗୋଟିଏ ବର୍ଷା ଧୋଇ ନେଇଛି । ଦଳ ୧୧ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଗତକାଲି ଇଣ୍ଡିଜକୁ ୧୨୫ରେ ହରାଇଛି ଭାରତ । ଏହି ବଡ ବିଜୟ ପରେ ଭାରତ ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଉଠିଛି ।
ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୭ ୱିକେଟ ହରାଇ ୨୬୮ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ କୋହଲି ସର୍ବାଧିକ ୭୨ ରନର ପାଳି ଖେଳିଥିଲେ । ତାଙ୍କ ସାଙ୍ଗକୁ ଅପରାଜିତ ଅର୍ଦ୍ଧଶତକ ମଧ୍ୟ ଅର୍ଜନ କରିଥିଲେ । ପାଣ୍ଡ୍ୟା ଏବଂ ରାହୁଲ ଅର୍ଦ୍ଧଶତକ ପାଖାପାଖି ହୋଇଥିଲେ ସୁଦ୍ଧା ପହଁଞ୍ଚି ପାରିନଥିଲେ । ପାଣ୍ଡ୍ୟା ୪୬ ରନ କରିଥିବା ବେଳେ ରାହୁଲ ୪୮ ରନ କରିଥିଲେ ।
୨୬୯ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟିମର ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ (୬)ଙ୍କୁ ମହମ୍ମଦ ଶାମି ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ଶାମିଙ୍କ ଶଟ୍ ପିଚ୍ ବଲକୁ ମାରିବାକୁ ଯାଇ ଗେଲ୍ ଲଙ୍ଗ୍ ଅନରେ କେଦାର ଯାଦବଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଯଶପ୍ରୀତ ବୁମରାଙ୍କୁ ସମ୍ମୁଖୀନ ହୋଇ ନପାରି କାଲୋର୍ସ ବ୍ରାଥେଓ୍ଵଟ ମାତ୍ର ୧ ରନ୍ କରି ଧେନିଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ସ୍କୋର ୧୦୭ ରନ୍ରେ ଇଣ୍ଡିଜ ବ୍ରାଥେଓ୍ଵଟଙ୍କ ସମେତ ଫାବିଆନ ଆଲେନ (୦ ରନ୍)ଙ୍କୁ ହରାଇ ଥିଲା। ବୁମରାଙ୍କ ଦ୍ୱାରା ଆଲେନ ଏଲବିଡବ୍ଲୁ ହୋଇ ପାଭଲିଅନ୍ ଫେରିଥିଲେ।