ଲଣ୍ଡନ (ଏଟିଆର ବ୍ୟୁରୋ); ଚଳିତ ବିଶ୍ୱକପରେ ଖାତା ଖୋଲିପାରିଲାନି ଆଫଗାନିସ୍ତାନ । ଦଳ ବିଶ୍ୱକପରେ ୯ଟି ଯାକ ମ୍ୟାଚ ହାରିଛି । ଯଦିଓ କିଛିଟା ମ୍ୟାଚରେ କଣ୍ଟେଷ୍ଟ କରିଛି ତଥାପି ଶେଷ ସମୟରେ ନିଜ ଲକ୍ଷ ହରାଇ ବସିଛି । ଅଭିଜ୍ଞ ଦଳ ଆଗରେ ହାର ମାନିବାକୁ ବାଧ୍ୟ ହୋଇଛି ନୂଆ କରି ବିଶ୍ୱକପ ଖେଳୁଥିବା ଆଫଗାନିସ୍ତାନ । ଗତକାଲି ଶେଷ ଲିଗ ମ୍ୟାଚରେ ୱେଷ୍ଟଇଣ୍ଡିଜଠାରୁ ୨୩ ରନରେ ପରାସ୍ତ ହୋଇଛି । ଶେଷ ଲିଗ ମ୍ୟାଚଟି ୱେଷ୍ଟ ଇଣ୍ଡିଜ ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି ।
ଗତକାଲି ୱେଷ୍ଟ ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ ଲଢ଼ୁଆ ବ୍ୟାଟିଂ କରି ପୂରା ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୮ ରନ୍ କରିବାକୁ ସକ୍ଷମ ହୋଇଛି।ଆଫଗାନିସ୍ତାନ ପକ୍ଷରୁ ଇକ୍ରାମ୍ ଅଲୀଖିଲ୍ ସର୍ବାଧିକ ୮୬ (୯୩ ବଲ୍, ୮ ଚୌକା), ରେହମତ୍ ଶାହ ୬୨, ଅସଘର ଆଫଗାନ୍ ୪୦ ଓ ନାଜିବୁଲ୍ଲା ଜର୍ଦ୍ଦାନ୍ ୩୧ ରନ୍ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ୱିଣ୍ଡିଜ୍ ପକ୍ଷରୁ କାର୍ଲସ୍ ବ୍ରାଥୱେଟ୍ ୪ଟି ଓ କେମାର ରୋଚ୍ ୩ଟି ୱିକେଟ୍ ନେଇଥିଲେ।
ୱେଷ୍ଟ ଇଣ୍ଡିଜ ୯ଟି ମ୍ୟାଚରୁ ମାତ୍ର ଦୁଇଟି ବିଜୟ ହୋଇଛି । ପ୍ରଥମ ଲିଗ ମ୍ୟାଚରେ ପାକିସ୍ତାନଠାରୁ ଜିତିଥିଲା । ଏବଂ ଶେଷ ଲିଗ ମ୍ୟାଚ ଆଫଗାନିସ୍ତାନଠାରୁ । ବାକି ମଝିରେ ଖେଳିଥିବା ମ୍ୟାଚ ଗୁଡିକ ହାରିଥିଲା । ଗତକାଲି ମ୍ୟାଚ ଜିତିବା ପରେ ସେମି ନଯାଇଥିଲେ ସୁଦ୍ଧା ଦଳୀୟ ଖେଳାଳିମାନେ ନିଆରା ଢ଼ଙ୍ଗରେ ଖୁସି ଜାହିର କରିଥିଲେ ।