ବାଙ୍ଗାଲୋର (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲର ୪୯ ନମ୍ବର ମ୍ୟାଚରେ କୌଣସି ଫଳାଫଳ ମିିଳିପାରି ନାହିଁ । ଖେଳ ଅଧାରେ ବର୍ଷା ବାଧକ ସୃଷ୍ଟି କରିବାରୁ ଦୁଇ ଦଳ ୧ ପଏଣ୍ଟ ଲେଖାଏଁ ଭାଗ ବାଣ୍ଟି ନେଇଛନ୍ତି । ଗତକାଲି ସିରିଜରୁ ବାଦ ପଡିଛି ବାଙ୍ଗାଲୋର । ଅପରପକ୍ଷରେ ରାଜସ୍ଥାନ ଭାଗ୍ୟକୁ ଆଦରି ଶେଷ ମ୍ୟାଚକୁ ଅପେକ୍ଷା କରି ରହିଛି । ଗତକାଲି ମ୍ୟାଚରେ ପ୍ରଥମରୁ ବର୍ଷା ହୋଇଥିଲା । ପରବର୍ତ୍ତୀ ସମୟରେ ୫ ଓଭର ବିଶିଷ୍ଟ ଫଟାଫଟ କ୍ରିକେଟ ଖେଳ ହୋଇଥିଲା । ଏଥିରେ ମଧ୍ୟ ର୍ବୋ ସହି ପାରିନଥିଲା । ଖେଳ ଅଧାରେ ହୋଇଥିଲା ବର୍ଷା ।
ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଏହି ୩୦ ବଲ୍ ଭିତରେ ୭ ୱିକେଟ୍ ହରାଇଥିଲେ ମଧ୍ୟ ୬୨ ରନ୍ ସଂଗ୍ରହ କରି ନେଇଥିଲା। ବିରାଟ କୋହଲି (୨୫, ୬ ବଲ୍, ୩ ଛକା, ୧ ଚୌକା) ଏବଂ ଏବି ଡି’ଭିଲିୟର୍ସ (୧୦, ୪ ବଲ୍, ୨ ଚୌକା)ଙ୍କ ପରେ ଆଉ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ବରୁଣ ଆରୋନଙ୍କ ପ୍ରଥମ ଓଭରରୁ ଏହି ଯୋଡ଼ି ୨୩ ରନ୍ (୬, ୬, ୧, ୪, ୨, ୪) ଆଦାୟ କରିଥିଲେ। ଦ୍ବିତୀୟ ଓଭର ପ୍ରଥମ ୩ ବଲ୍ରେ ଶ୍ରେୟସ ଗୋପାଳ ୧୨ ନେଇଥିଲେ ମଧ୍ୟ ପରବର୍ତୀ ୩ ବଲ୍ରେ ବିରାଟ କୋହଲି, ଏବି ଡି’ଭିଲିୟର୍ସ ଏବଂ ମାର୍କସ ଷ୍ଟୋଇନିସ୍ଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଚଳିତ ଋତୁରେ ଏହା ଥିଲା ଦ୍ବିତୀୟ ହ୍ୟାଟ୍ରିକ୍।
ଜବାବରେ ରାଜସ୍ଥାନ ରୟାଲ୍ସ ପାଇଁ ସଂଜୁ ସାମସନ୍ ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ୍ ପାଳି ଆରମ୍ଭ କରିଥିଲେ। ଉମେଶ ଯାଦବ (୧୦), ନଭଦୀପ ସଇନି (୧୨) କିନ୍ତୁ ପ୍ରଥମ ଦୁଇ ଓଭରରେ ମାତ୍ର ୨୨ ରନ୍ ଦେଇଥିଲେ। ସଂଜୁ ସାମସନ୍ (୨୮, ୧୩ ବଲ୍, ୨ ଚୌକା, ୩ ଛକା)ଙ୍କୁ ୟୁଜବେନ୍ଦ୍ର ଚହଲ ଆଉଟ୍ କରିବା ମାତ୍ରେ ବର୍ଷା ପୁଣି ଖେଳ ଆରମ୍ଭ କରିଥିଲା। ସେତେବେଳକୁ ୩.୨ ଓଭରରେ ରାଜସ୍ଥାନ ୧ ୱିକେଟ୍ରେ ୪୧ ରନ୍ ସଂଗ୍ରହ କରିବା ସହିତ ୧୦ ବଲରୁ ସମ୍ଭାବ୍ୟ ୨୨ ରନ୍ ଦୂରରେ ରହିଯାଇଥିଲା। ୫ ଓଭରିଆ ଶେଷ ବିକଳ୍ପ ଥିବାରୁ ମ୍ୟାଚ୍କୁ ତୁରନ୍ତ ବାତିଲ ଘୋଷଣା କରାଯାଇଥିଲା ଏବଂ ଚଳିତ ଋତୁର ପ୍ରଥମ ଦୁଇ ଦଳ ପଏଣ୍ଟ୍ ବାଣ୍ଟିଥିଲେ।