ଜୟପୁର (ଏଟିଆର ବ୍ୟୁରୋ); ମହିଳା ଆଇପିଏଲ ଚ୍ୟାଲେଞ୍ଜ ଟି-୨୦ରେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ହରମନପ୍ରିତ କୌରଙ୍କ ନେତୃତ୍ୱାଧିନ ଦଳ ସୁପରନୋଭାସ ଏବଂ ମିତାଲି ରାଜଙ୍କ ଭଲଭୋସିଟି ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହି ସିରିଜରୁ ବାଦ ପଡିଛି ସ୍କୁତି ମାନ୍ଧନାଙ୍କ ଟ୍ରେଲବ୍ଳେଜର୍ସ । ସବୁ ଦଳ ଯଦିଓ ଗୋଟିଏ ଲେଖାଏଁ ମାଚ ଜିତି ୨ ପଏଣ୍ଟ ହାସଲ କରିଛନ୍ତି ତେବେ ଟେଲବ୍ଳେଜର୍ସ ନେଟ ରନରେଟ ପାଇଁ ଫାଇନାଲରୁ ବାଦ ପଡିଛି । ଗୁରୁବାର ଶେଷ ଲିଗ ମ୍ୟାଚ ସୁପରନୋଭାସ ମ୍ୟାଚ ଜିତିବା ପରେ ଫାଇନାଲରେ ସ୍ଥାନ ପକ୍କା କରିଥିଲା ।
ଭାରତର ଘରୋଇ ପରିବେଶରେ ଆୟୋଜିତ ହୋଇଥିବା ମହିଳା ଚ୍ୟାଲେଞ୍ଜ ଟି-୨୦ କ୍ରିକେଟ ପ୍ରେମୀଙ୍କ ବେଶ ମନକୁ ଜିଣିଛି । ବିସିସିଆଇ ଏହି ଲିଗକୁ ସମ୍ପୃକ୍ତି ଦେବା ପରେ ତିନୋଟି ଦଳକୁ ନେଇ ଆରମ୍ଭ ହୋଇଛି ସିରିଜ । ଜୟପୁର ସ୍ୱାମୀମାନସିଂହ ଷ୍ଟାଡିୟମରେ ସବୁଯାକ ମ୍ୟାଚ ଅନୁଷ୍ଠିତ ହୋଇଛି । ସବୁ ଦଳରେ ବହୁ ଯୁବ ଏବଂ ଅଭିଜ୍ଞ ଖେଳାଳି ରହିଛନ୍ତି । ତେବେ ସବୁ ମ୍ୟାଚ ଗୁଡିକ ବେଶ ରୋମାଞ୍ଚକ ହୋଇଥିଲା ।
ଗୁରୁବାର ଶେଷ ଲିଗ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ସୁପରନୋଭାସ ନିର୍ଧାରିତ ୨୦ ଓଭରରେ ୩ ୱିକେଟ୍ ବିନିମୟରେ ୧୪୨ ରନ୍ କରିଥିଲା। ପ୍ରିୟା ପୁନିଆ (୧୬, ୧୬ ବଲ୍) ଏବଂ ଚମାରି ଆଟାପାଟ୍ଟୁ (୩୧, ୩୮ ବଲ୍) ବିଶେଷ ପ୍ରଭାବ ଛାଡ଼ି ପାରିନଥିଲେ। କିନ୍ତୁ ସ୍ବଳ୍ପ ବୟସୀ ଭାରତୀୟ ଜେମିମା ରଡ୍ରିଗ୍ବେଜ (୭୭ଞ୍ଚ, ୪୮ ବଲ୍, ୧୦ ଚୌକା, ୧ ଛକା) ଏକା ଏକା ସୁପରନୋଭାସ୍ ପାଳିକୁ ବଡ଼ ସ୍କୋର୍ ପ୍ରଦାନ କରିଥିଲେ। ଏହି ସ୍କୋରକୁ ପିଛା କରିବାକୁ ଯାଇ ଭୋଲଭୋସିଟି ନିର୍ଦ୍ଧାରିତ ଓଭର ମଧ୍ୟରେ ମାତ୍ର ୩ ୱିକେଟ ହରାଇ ୧୩୦ ରନ କରିବାରେ ସକ୍ଷମ ହୋଇଥିଲା ।