ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟର ଯୁବରାଜ ସିଂ । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ ଏହି ଘୋଷଣା କରିବା ସହିତ ଭାବୁକ ହୋଇପଡିଛନ୍ତି । ୨୦-୨୦ ର କିଙ୍ଗ କୁହାଯାଉଥିବା ଯୁବରାଜ ଦୀର୍ଘ ଦିନ ହେବ ଦଳରୁ ଦୂରେଇ ରହିଥିଲେ ଏବଂ ଚଳିତ ବିଶ୍ୱକପ ଟିମ୍ ପାଇ ମଧ୍ୟ ତାଙ୍କୁ ବଛା ଯାଇନଥିଲା । ବର୍ଷ ୨୦୧୧ ବିଶ୍ୱକପ ଜିତିବାରେ ଯୁବରାଜଙ୍କର ମହତ୍ୱପୂର୍ଣ୍ଣ ଭୂମିକା ଥିଲା । ମାତ୍ର କର୍କଟ ଭଳି ମାରାତ୍ମକ ରୋଗରୁ ଭଲ ହୋଇ ସେ ପୁର୍ନବାର ମଇଦାନକୁ ଫେରିଥିଲେ , କିନ୍ତୁ ସେ ଖାସ୍ ପ୍ରଦର୍ଶନ ନ କରିବାରୁ ଟିମ୍ ରୁ ଦୂରେଇ ରହିଥିଲେ ।
ସନ୍ୟାସ ଘୋଷଣା କରି ଯୁବାରାଜ କହିଛନ୍ତି କି କ୍ରିକେଟରେ ୨୫ ଏବଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୭ ବର୍ଷ ରହିବା ପରେ ମୁଁ ଆଗକୁ ବଢିବାର ନିଷ୍ପତି ନେଇଛି । ଏହି ଖେଳ ମୋତେ ବହୁତ କିଛି ଶିଖାଇଛି କିପିରି ଲଢିବା ଏବଂ ପଡିବା ପରେ ପୁଣି ଉଠିକି ଆଗକୁ ବଢିବା । ଏହାସହିତ ୟୁବି ଭାବୁକ ହୋଇ କହିଥିଲେ କି ମୁଁ କେବେ ହାର୍ ମାନି ନାହିଁ । ୨୦୧୧ ବିଶ୍ୱକପ ଜିତିବା ମୋ ପାଇଁ ସ୍ୱପ୍ନ ଥିଲା । ମୁଁ ମୋ ବାପାଙ୍କ ସ୍ୱପ୍ନ ପୂରଣ କରିଛି ।
ଯୁବରାଜ ୩୦୪ ୱାନଡେ ଖେଳିଥିଲେ ଏବଂ ୮୭୦୧ ରନ କରିଥିଲେ । ସେ ୫୮ ଟି୨୦ ମୁକାବିଲା ମଧ୍ୟ ଖେଳିଥିଲେ ଯେଉଁଥିରେ ସେ ୧୧୭୭ ରନ୍ କରିଥିଲେ । ବର୍ଷ ୨୦୦୭ର ଟି୨୦ ୱାଲ୍ଡକପରେ ସେ ଇଂଲଣ୍ଡର ପେସର ଷ୍ଟୁଅର୍ଟ ବ୍ରାଣ୍ଡ ବିପକ୍ଷରେ ଗୋଟେ ଓଭରରେ ଛଅଟି ଛକା ମାରିଥିଲେ ।