ନୂଆଦିଲ୍ଲୀ,(ଏଟିଆର ବ୍ୟୁରୋ): ଦୁନିଆର ବଡ ଟେକ୍ କମ୍ପାନୀ ‘ଗୁଗୁଲ’ ନିଜ ମେସେଞ୍ଜର ଆପ୍ ‘ଏଲୋ’କୁ ଖୁବ ଶୀଘ୍ର ବନ୍ଦ କରିବାକୁ ଯାଉଛି । କମ୍ପାନୀ ୨୦୧୬ରେ ଏହି ଆପକୁ ଲଞ୍ଚ କରିଥିଲା । କିନ୍ତୁ ଯେଉଁ ଆଶା ନେଇ ଏହି ଆପ୍ ଲଞ୍ଚ କରାଯାଇଥିଲା ସେହି ଆଶା ଏବେ ଆଶାରେ ହିଁ ରହିଗଲା । ହ୍ୱାଟ୍ସଆପ୍ ଓ ମେସେଞ୍ଜରକୁ ଟକ୍କର ଦେବାରେ ଏହି ଆପ୍ ଏକଦମ୍ ଫେଲ ମାରିଲା ।
ଖାସ ଏଥିପାଇଁ ଆପକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଗୁଗୁଲ । ଗୁଗୁଲ ନିଜ ବ୍ଲଗ୍ ପୋଷ୍ଟରେ ଏହି ଆପକୁ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଚଳାଇବ ବୋଲି ଉଲ୍ଲେଖ କରିଛି । ଯେଉଁମାନେ ଏହି ଆପ୍ ବ୍ୟବହାର କରୁଥିଲେ ସେମାନେ ନିଜ ଚାଟର ବା କନ୍ଭରସେସନ ଏହି ଆପରୁ ଏକ୍ସୋପୋର୍ଟ କରିପାରିବେ ବୋଲି ଗୁଗୁଲ କହିଛି । ଚଳିତ ବର୍ଷ ଏପ୍ରିଲରୁ ଗୁଗୁଲ ଏହି ଆପ୍ ଉପରେ ପୁଞ୍ଜି ନିବେଶ କରିବା ବନ୍ଦ କରିଦେଇଛି ।
ଏହାସହିତ ଏଥିରେ କାମ କରୁଥିବା କର୍ମଚାରୀଙ୍କୁ ଅଲଗା ପ୍ରୋଜକ୍ଟକୁ ବଦଳି କରିଦିଆଯାଇଛି । କେବଳ ଏତିକି ନୁହେଁ ଏହି ପ୍ରୋଜକ୍ଟର ରିସୋର୍ସକୁ ଆଣ୍ଡ୍ରଏଡ୍ ମେସେଜ୍ ଟିମ୍କୁ ଦେଇ ଦିଆଯାଇଛି । ହେଲେ ମଝିରେ ମଝିରେ କମ୍ପାନୀ ଏହି ଆପ୍ର ଚାହିଦା ବଢାଇବା ପାଇଁ ଏଥିରେ ଫିଚର୍ସ ଦେଇଥିଲେ । ହେଲେ ଫଳ ଶୂନ ରହିଲା । ଲୋକଙ୍କ ମନକୁ ଛୁଇଁ ପାରିଲା ନାହିଁ ଆପ ।
ଅନ୍ୟପଟେ ଏଥିରେ ଫଟୋ, ଲୋକେଶନ୍, ଷ୍ଟିକରସ୍ ଆଦି ପଠାଇ ହେଉଥିବା ବେଳେ କୌଣସି ଡକୁମେଣ୍ଟ ସେୟାର ନ ହେବା ଏହି ଆପର ଥିଲା ସବୁଠୁ ବଡ଼ ଦୁର୍ବଳତା । ଗୁଗୁଲର ମତରେ ହ୍ୱାଟ୍ସଆପ୍ ବ୍ୟବହାର କରିବାକୁ ଅତି ସହଜ ହୋଇଥିବା ବେଳେ ‘ଏଲୋ’ ଟିକେ କଷ୍ଟକର ରହିଛି । ଯାହା ଫଳରେ ଲୋକେ ହ୍ୱାଟ୍ସଆପ ପ୍ରତି ଅଧିକ ଆକୃଷ୍ଟ ହୋଇଥିଲେ ।