ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସେ ସାଙ୍ଗମାନଙ୍କ ନିକଟକୁ ହେଉ ଅବା ପରିବାର ସଦସ୍ୟ । ଏମାନଙ୍କ ସହ କଥା ହେବା ପାଇଁ ଅଧିକାଂଶ ଲୋକେ ହ୍ୱାଟ୍ସଆପ୍ କଲିଂ ବ୍ୟବହାର କରୁଥିବାର ନଜରକୁ ଆସେ । ଯଦି ଆପଣମାନେ ଏଭଳି କରୁଛନ୍ତି ତେବେ ଏହି ଖବର ଉପରେ ଧ୍ୟାନ ରଖନ୍ତୁ । ବାସ୍ତବରେ ଦେଶରେ ଖୁବ୍ ଶୀଘ୍ର ଏଭଳି ଏକ ନିୟମ ଲାଗୁ ହେବାକୁ ଯାଉଛି ଯାହାଦ୍ୱାରା ହ୍ୱାଟ୍ସଆପ କଲ କରିବାରେ ଆପଣଙ୍କୁ ଟଙ୍କା ଦେବାକୁ ପଡିବ । ଏନେଇ ଲୋକଙ୍କ ରାୟ ଜାଣିବା ଲାଗି ମୋଦି ସରକାର ଟେଲିକମ ବିଲ୍ ର ଏକ ଡ୍ରାଫ୍ଟ ଜାରି କରିଛନ୍ତି । ଏଥିରେ ସ୍ପଷ୍ଟ ହୋଇଛି କି ହ୍ୱାଟ୍ସଆପ, ଫେସବୁକ୍ ଜରିଆରେ କଲ ବା ମେସେଜ ପଠାଇବାର ସୁବିଧାକୁ ଟେଲିକମ ସେବା ବୋଲି ଧରାଯିବ । ସେଥିପାଇଁ ଏହି କମ୍ପାନୀ ଗୁଡିକୁ ଲାଇସେନ୍ସ ନେବାକୁ ପଡିବ ।
ଟେଲିକମ କମ୍ପାନୀ ଗୁଡିକ ବାରମ୍ବାର ଅଭିଯୋଗ କରିଆସିଛନ୍ତି କି, ହ୍ୱାଟ୍ସଆପ ଏବଂ ଫେସବୁକ ଭଳି ପ୍ଲାଟଫର୍ମ ଉପଭୋକ୍ତାଙ୍କୁ ମେସେଜ ବା କଲ କରିବାର ସୁବିଧା ଦେଇଥାନ୍ତି ଯାହାଦ୍ୱାରା ସେମାନଙ୍କର କ୍ଷତି ହେଉଛି ।
ଟେଲିକମ କମ୍ପାନୀଙ୍କର କହିବାନୁଯାୟୀ, ସେମାନଙ୍କ ସେବା ଟେଲିକମ ସେବା ଭାବେ ଆସୁଛି । ଏହି ପ୍ରସଙ୍ଗରେ ଲୋକଙ୍କ ରାୟ ଜାଣିବା ପାଇଁ ବିଲ୍ ର ଏକ ଡ୍ରାଫ୍ଟକୁ ସାର୍ବଜନିକ କରାଯାଇଛି । ଏହି ବିଲ ଉପରେ ଅକ୍ଟୋବର ୨୦ ଯାଏଁ ଲୋକେ ସେମାନଙ୍କ ରାୟ ଦେଇପାରିବେ । ଏହାପରେ ଏହି ବିଲ ସଂସଦରେ ଆଗତ କରାଯିବ । ବିଲ୍ ରେ ସାଇବର ଫ୍ରଡ ରୋକିବାକୁ ମଧ୍ୟ ସ୍ପଷ୍ଟ କରାଯାଇଛି ।