ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଦଳିଛି ଫେସବୁକ୍ ର ନାଁ । ଏଣିକି ମେଟା ନାଁରେ ଜଣାଯିବ ଫେସବୁକ୍ । କମ୍ପାନୀର ପୁରା ନାଁ ହେଉଛି ମେଟା ପ୍ଲାଟଫର୍ମ ଇଙ୍କ । ଏନେଇ ଗୁରୁବାର ଫେସବୁକର ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । ୧୭ ବର୍ଷ ପରେ ବଦଳିଛି କମ୍ପାନୀର ନାଁ ।
ଜୁକରବର୍ଗ କହିଛନ୍ତି କି,‘ଆମେ ସାମାଜିକ ସମସ୍ୟାର ମୁକାବିଲା କରି ବନ୍ଦ ପ୍ଲାଟଫର୍ମରେ ରହି ଅନେକ କିଛି ଶିଖିଛୁ ଏବଂ ଆମେ ଯାହା ଶିଖିଛୁ ତାହା ପ୍ରୟୋଗ କରିବା ଏବଂ ତାହା ସାହାଯ୍ୟରେ ପରବର୍ତ୍ତୀ ଅଧ୍ୟାୟ ନିର୍ମାଣ କରିବାର ସମୟ ଆସିଛି।
କିନ୍ତୁ ଫେସବୁକ୍ ଆପ୍ ର ନାମ ପରିବର୍ତ୍ତନ ହେବ ନାହିଁ । କେବଳ କମ୍ପାନୀର ନାମ ବଦଳି ଯାଇଛି । କମ୍ପାନୀର ଉତ୍ପାଦ ନାମଗୁଡ଼ିକ ପୂର୍ବ ପରି ସମାନ ରହିବ, ଯେପରିକି ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ । ନାମ ପରିବର୍ତ୍ତନ ଘୋଷଣା ସହିତ କମ୍ପାନୀ ଏହି ସୂଚନା ମଧ୍ୟ ସେୟାର କରିଛି। କମ୍ପାନୀ ତରଫରୁ ଟ୍ୱିଟର ପୋଷ୍ଟ କରି ଫେସବୁକ ଆପର ନାମ ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦିଆଯାଇଛି। ଏହାପୂର୍ବରୁ ମାର୍କ ଜୁକରବର୍ଗ ଏକ ସମ୍ମିଳନୀରେ କହିଥିଲେ ଯେ ‘ଆମର ଆପ୍ ଏବଂ ସେମାନଙ୍କର ବ୍ରାଣ୍ଡ, ପରିବର୍ତ୍ତନ ହେଉନାହିଁ ।’