ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାର ଖୋର୍ଦ୍ଧା ଜିଲ୍ଲାର ହୀରାପୁର ଗାଁରେ ଏକ ପୁରାତନ ଯୋଗିନୀ ପୀଠ ତଥା ଚଉଷଠୀ ଯୋଗିନୀ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ୧୯୫୩ ମସିହାରେ ଓଡିଶା ରାଜ୍ୟ ସଂଗ୍ରହାଳୟର ମୁଖ୍ୟ ତଥା ପ୍ରତ୍ନତତ୍ୱବିତ୍ତ କେଦାରନାଥ ମହାପାତ୍ରଙ୍କ ଦ୍ୱାରା ଲୋକଲୋଚନକୁ ଆସିଥିଲା । ମନ୍ଦିରର ଗଠନ ଶୈଳୀ ବିଚିତ୍ର, ଯାହାକୁ ନଦେଖିଲେ ବର୍ଣ୍ଣନା କରି ହେବ ନାହିଁ । ଏଠାରେ ଅଧିଷ୍ଠାତ୍ରୀ ଦେବୀ ମହାମାୟା ଓ ଯୋଗିନୀମାନେ ପୂଜା ପାଉଛନ୍ତି । ମନ୍ଦିରର ଆକାର ଗୋଲାକାର ଏବଂ ତାର ଉପରି ଭାଗ ସଂପୂର୍ଣ୍ଣ ଖୋଲା । ମନ୍ଦିରର ପ୍ରବେଶ ପଥଟି ଏକ ତୋରଣ ସଦୃଶ୍ୟ ହୋଇଛି । ଏବଂ ଏହାର ଦୁଇ ପାଶ୍ୱର୍ରେ ଦୁଇଟି ଭୈରବ ମୂର୍ତ୍ତି ବିଦ୍ୟମାନ । ଏହି ଦୁଇଟି ମୂର୍ତ୍ତିର ନାମ ହେଉଛି କାଳ ଓ ବିକାଳ । ମନ୍ଦିରର ବାହାର କାନ୍ଥରେ ନଅଟି କାତ୍ୟାୟନୀ ମୂର୍ତ୍ତି ବିଦ୍ୟମାନ । ସେମାନେ ହାତରେ ପାନପତ୍ର ଆୟୁଧ ଧରି ଦଣ୍ଡାୟମାନ । ଏବଂ ଚାରିକୋଣରେ ଚାରୋଟି ପ୍ରତିମା ଦଣ୍ଡାୟମାନ । ସେଥି ମଧ୍ୟରୁ ଗୋଟେ ସ୍ଥାନରେ ମୂର୍ତ୍ତି ଶୂନ୍ୟ ।
ଏହି ଚଉଷଠି ଯୋଗିନୀ ମନ୍ଦିର ଏକ ତନ୍ତ୍ରପୂଜାର ମନ୍ଦିର । ଏଠାରେ ପାଞ୍ଚୋଟି ଉପଦାନ ଯଥା ନିଆଁ, ପାଣି, ବସୁଧା, ଆକାଶ ଓ ପବନ କୁ କରାଯାଇଥାଏ । ଯୋଗିନୀ ମାନଙ୍କର ମୂର୍ତ୍ତି ସାଧାରଣତଃ ଏକ ଉଲଗ୍ନ ନାରୀ ମୂର୍ତ୍ତି ଯାହା ପଶୁ,ମଣିଷ କିମ୍ବା ଅସୁର ଉପରେ ବିରାଜମାନ ହେବାର ଦେଖିବାକୁ ମିଳିଥାଏ । ଏବଂ ନାରୀ ଶକ୍ତିକୁ ସୂଚାଇଥାଏ ।
ଏହି ମନ୍ଦିରରେ ଦଶଭୁଜା ମହାମାୟାଙ୍କ ପ୍ରତିମା ଇଷ୍ଟଦେବୀ ଭାବେ ପୂଜା ପାଆନ୍ତି । ତାଙ୍କ ସହିତ ଚଉଷଠୀ ଯୋଗିନୀ ମୂର୍ତ୍ତି ଲାଗି ରହିଛନ୍ତି । ଏହି ଯୋଗିନୀଗଣ ଦେଉଳ କାନ୍ଥରେ ଥିବା ୬୪ ଢଙ୍ଗରେ ସେମାନଙ୍କ ବାହାନ ଉପରେ ବିରାଜମାନ । ସେମାନେ ସୁନ୍ଦର ବେଶଭୂଷା ସହିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧାରଣ କରିଥାନ୍ତି । ୬୪ ଯୋଗିନୀଙ୍କ କେଶ ବିନ୍ୟାଶ ଭିନ୍ନ ଭିନ୍ନ ।
କିମ୍ବଦନ୍ତୀ ଅନୁସାରେ, ମହିଷାସୁରର ଅତ୍ୟାଚରରେ ତ୍ରିଭୁବନ ସହ ସମସ୍ତ ଦେବା-ଦେବୀଙ୍କ ଆସନ ଥରି ଉଠିଥିଲା । ସେହି ସମୟରେ ସର୍ବଦେବଙ୍କର ଶକ୍ତି ବଳରେ ମା’ ଦୁର୍ଗା ଆର୍ବିଭୂତ ହୋଇଥିଲେ । ଦୁର୍ଗା, ମହିଷାସୁର ଅସୁର ସହିତ ଯୁଦ୍ଧ କରିବା ବେଳେ ରକ୍ତବିର୍ଯ୍ୟ ନାମକ ଏକ ପ୍ରତାପୀ ଦାନବର ରକ୍ତବିନ୍ଦୁ ମାଟିରେ ପଡି ସେଥିରୁ ସହସ୍ର ଦାନବ ସୃଷ୍ଟି ହୋଇ ଦୁର୍ଗାଙ୍କ ସହ ଯୁଦ୍ଧ କରିଥିଲେ । ଏହି ସବୁ ଦାନବଙ୍କୁ ନିହତ କରିବା ପାଇଁ ମା’ ଦୁର୍ଗା ତାଙ୍କ ପ୍ରଖର ବିଶ୍ୱାସରୁ ଯୋଗିନୀମାନଙ୍କୁ ସୃଷ୍ଟି କରିଥିଲେ । ସେହି ଯୋଗିନୀମାନେ ରକ୍ତବିର୍ଯ୍ୟ ଅସୁରର ସମସ୍ତ ରକ୍ତକୁ ପିଇଦେଇଥିଲେ । ଯାହାଫଳରେ ଦାନବର ସୃଷ୍ଟି ଆଉ ହୋଇନଥିଲା । ତାହାପରେ ମା’ଦୁର୍ଗା ରକ୍ତବିର୍ଯ୍ୟ ସହିତ ସମସ୍ତ ଅସୁରଙ୍କୁ ନିହତ କରିଥିଲେ । ଏହାପରେ ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା । ସେହି ଦିନଠାରୁ ଏହି ପୀଠରେ ଯୋଗିନୀମାନେ ପୂଜା ପାଉଛନ୍ତି ।