ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ଓଡିଶାର ଚର୍ତ୍ତୁପାଶ୍ୱର୍ରେ ଘେରି ହୋଇ ରହିଛନ୍ତି ବିଭିନ୍ନ ଦେବା-ଦେବୀ । ସେଥି ମଧ୍ୟରୁ ଏକ ଦେବୀ ହେଉଛନ୍ତି ମା’ ତାରିଣୀ । ଓଡିଶାର କେନ୍ଦୁଝର ଜିଲ୍ଲା ଘଟଗାଁ ରେ ତାରିଣୀ ମା’ଙ୍କ ମନ୍ଦିର ଅବସ୍ଥିତ । ଏଠାକାର ଅଧିଷ୍ଟାତ୍ରୀ ଦେବୀ ହେଉଛନ୍ତି ମା’ ତାରିଣୀ । ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓଙ୍କ ଦ୍ୱାରା ୧୪୮୦ରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । କେଉଁ ମା’ ତା ପିଲାର ଦୁଃଖ ସହ୍ୟ କରି ପାରି ନଥାନ୍ତି । ସେଥିପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ମା’ଙ୍କ ନିକଟକୁ ନିଜର ଦୁଃଖ ଜଣାଇବା ଲାଗି ଆସିଥାନ୍ତି । ଆଗରୁ ବିଶ୍ୱାସ ରହିଛି କି ମା’ଙ୍କ ନିକଟକୁ ଯିଏ ଦର୍ଶନ ଲାଗି ଆସିଥାନ୍ତି ସେ ଖାଲି ହାତରେ କେବେ ଫେରି ନଥାନ୍ତି । ସେଥିପାଇଁ ପ୍ରତିଦିନ ମା’ଙ୍କ ନିକଟକୁ ଦର୍ଶନ କରିବା ଲାଗି ଶତାଦ୍ଧିକ ଶ୍ରଦ୍ଧାଳୁ ଆସିଥାନ୍ତି ।
ଯେଉଁଭଳି ମା’ ଦୁର୍ଗାଙ୍କର ଦଶଭୁଜା ରହିଛି । ଠିକ୍ ସେହିଭଳି ଦୁର୍ଗାଙ୍କର ଅନ୍ୟ ଏକ ରୂପ ତାରିଣୀ ମା’ଙ୍କର ଚର୍ତ୍ତୁଭୁଜ ରହିଛି । ମା’ଙ୍କର ଥିବା ଚାରୋଟି ହାତରୁ ବାମ ପାଖର ଉପର ହାତରେ ସେ ଚକ୍ର ଧାରଣ କରିଛନ୍ତି । ବାମ ପାଖର ତଳ ହାତରେ ତ୍ରିଶୁଳ । ସେହିପରି ଦକ୍ଷିଣ ପାଖ ଉପର ହାତରେ ଖଡ୍ଗ ଏବଂ ଦକ୍ଷିଣ ପାଖ ତଳ ହାତ ମା’ଙ୍କର ଶୂନ୍ୟ ରହିଥାଏ । କାରଣ ବହୁ ପୁରାତନ କାଳରୁ ବିଶ୍ୱାସ ରହିଛି ଯେ ମା’ ସେହି ଶୂନ୍ୟ ହାତରେ ଭକ୍ତଙ୍କୁ ଆର୍ଶିବାଦ ଦେଇଥାନ୍ତି ।
ପୌରାଣିକ ଗାଥା ଅନୁଯାୟୀ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ମାତା ସୀତାଙ୍କର ବନବାସ ବେଳେ ଦୁଷ୍ଟ ରାକ୍ଷସ ରାବଣ ଦ୍ୱାରା ସୀତାଙ୍କୁ ହରଣ କରି ନେଇ ଯିବା ପରେ, ରାମ ଓ ଲକ୍ଷଣ ଭୟବୀତ ହୋଇ ଶକ୍ତିମୟୀ ମା’ ଦୁର୍ଗାଙ୍କୁ ଆରାଧନା କରିଥିଲେ । ତାଙ୍କର ସେହି ଆରାଧନାରେ ସନ୍ତୁଷ୍ଟ ହୋଇ ମା’ ଦୁର୍ଗା ଶୂନ୍ୟବାଣୀ କରିଥିଲେ । କହିଲେ ବତ୍ସ’ମୁଁ ତୁମ ସମ୍ମୁଖରେ ସଙ୍କଟ ହାରିଣୀ ଦେବୀ ମା’ ତାରିଣୀ ରୂପେ ଆର୍ବିଭୂତ ହେବି । ତୁମେ ଯଦି ମୋତେ ଦେଖିବାକୁ ଚେଷ୍ଟା କରିବ ତାହାଲେ ମୁଁ ପାଷାଣରେ ପରିଣତ ହୋଇଯିବି । ତାହା ଶୁଣିଲା ପରେ ପ୍ରଭୁ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଧ୍ୟାନମଗ୍ନ ହୋଇ ରହିଲେ । ସେହି ସମୟରେ ଦେବୀ ଦୁର୍ଗାଙ୍କ ଉପସ୍ଥିତିକୁ ଅନୁଭବ କରି ପ୍ରଭୁ ରାମଚନ୍ଦ୍ର ମା’ଙ୍କ ପାଦ ଛୁଇଁଲା ବେଳେ ହଠାତ୍ ରାମଚନ୍ଦ୍ରଙ୍କର ଗୋଟେ ଆଖି ଫିଟି ଯାଇଥିଲା । ତା’ପରେ ନିଜ ଆଖିରେ ମା’ ଦୁର୍ଗାଙ୍କୁ ଦର୍ଶନ କରିଥିଲେ ପ୍ରଭୁ ରାମଚନ୍ଦ୍ର । ସେହି ସମୟରେ ଦେବୀ ସମସ୍ତ ସଙ୍କଟ ହରଣ କରିବାର ପ୍ରତିଶୃତି ଦେଇ ପୂର୍ବ ସର୍ତ୍ତ ଅନୁଯାୟୀ ପାଷାଣରେ ପରିଣତ ହୋଇ ଯାଇଥିଲେ । ସେହିଦିନ ଠାରୁ ମା’ ଦୁର୍ଗା,ମା’ତାରିଣୀ ନାମରେ ନାମିତ ।
ଏହାବ୍ୟତୀତ ମା’ଙ୍କ କୃପା ଲାଭ କରିବା ଲାଗି ମା’ଙ୍କର ବଡ ପର୍ବ ଚଇତି ପର୍ବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ । ଏହି ପର୍ବରେ ମା’ ସୁନା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଏବଂ ଆଷାଢ଼ ପର୍ବରେ ମା’ ନିଜେ ତାଙ୍କ ଭକ୍ତ ମାନଙ୍କ ମଙ୍ଗଳ କାମନା ପାଇଁ ଗୋଟେ ଦିନ ଉପବାସ ରହିଥାନ୍ତି ।