ବାଲେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାର ବାଲେଶ୍ୱର ସ୍ଥିତ ରେମୁଣାଠାରେ କ୍ଷୀରଚୋରା ଗୋପିନାଥ ମନ୍ଦିର ଅବସ୍ଥିତ । ହିନ୍ଦୁ ଧର୍ମରେ ଏହି ମନ୍ଦିର ଖୁବ୍ ପ୍ରସିଦ୍ଧ । ଏଠାରେ ବୃନ୍ଦାବନର ତିନି ଠାକୁର ଯେପରିକି ଶ୍ରୀ ମଦନ ମୋହନ, ଗୋବିନ୍ଦ, ଗୋପିନାଥ ବିରାଜମାନ ଅଛନ୍ତି । ଏହାକୁ ପୂର୍ବଭାରତର ଗୁପ୍ତ ବୃନ୍ଦାବନ ଧାମ ମଧ୍ୟ କୁହାଯାଏ । ଭଗବାନ ଗୋପିନାଥଙ୍କ ଡାହାଣ ପାଶ୍ୱର୍ରେ ମଦନମୋହନ ଏବଂ ବାମ ପାଶ୍ୱର୍ରେ ଗୋବିନ୍ଦ ଅଛନ୍ତି ।
କୁହାଯାଏ ଯେ ଏହି ଗୋପିନାଥଙ୍କ ମୂର୍ତ୍ତିକୁ ତ୍ରେତୟା ଯୁଗରେ ଭଗବାନ ଶ୍ରୀ ରାମଚନ୍ଦ୍ର ସୀତା ଦେବୀଙ୍କ ଅନୁରୋଧରେ ନିଜ ଧନୁ ଥୀରରେ ଚିତ୍ରକୂଟରେ ଗଢିଥିଲେ । ସୀତା ଦେବୀଙ୍କ ସ୍ପର୍ଷ ଏହି ମୂର୍ତ୍ତି ଜୀବନ୍ତ ହୋଇ ଯାଇଥିଲା । ସେହି ଦିନଠାରୁ ତାଙ୍କୁ ବ୍ରହ୍ମା ପୂଜା କରୁଥିଲେ ।
ଥରେ ଜଣେ ଭକ୍ତ ମାଧବେନ୍ଦ୍ର ,ବୃନ୍ଦାବନର ସେବିତ ଠାକୁର ଶ୍ରୀ ଗୋପାଳଙ୍କ ପାଇଁ ଜଗନ୍ନାଥ ପୁରୀରୁ ମଳୟ ଚନ୍ଦନ ନେବା ଉଦ୍ଦେଶ୍ୟରେ ବୃନ୍ଦାବନରୁ ଚାଲି ଚାଲି ଆସି ରେମୁଣା ଗୋପିନାଥ ମନ୍ଦିରରେ ବିଶ୍ରାମ ନେଇଥିଲେ । ସେଠାରେ ଗୋପିନାଙ୍କୁ ଲାଗିଥିବା କ୍ଷୀର ଭୋଗ ‘ଅମୃତ କଳି’ ପାଇବାକୁ ସେ ଇଚ୍ଛା କରିଥିଲେ । କିନ୍ତୁ ସେ ଅଯାଚିତ ହୋଇଥିବାରୁ ଇଚ୍ଛା ପ୍ରକାଶ କରିନଥିଲେ । ଶ୍ରୀ ଗୋପିନାଥ ଭକ୍ତଙ୍କ ମନ କଥା ଜାଣିପାରି ତାଙ୍କ ଧୋତି ତଳେ ଏକ କ୍ଷୀର ଭୋଗ ରଖିଦେଇଥିଲେ । ଏବଂ ଭଗବାନ ପୂଜକକୁ ରାତିରେ ସ୍ୱପ୍ନରେ ଜଣାଇଲେ ଯେ ତାଙ୍କର ଭକ୍ତ ମାଧବେନ୍ଦ୍ରଙ୍କୁ କ୍ଷୀର ଭୋଗ ଦେଇ ଆସିବା ପାଇଁ, ପୂଜକ ସ୍ନାନ ସାରି ଆସି ଦେଖିଲା ବେଳକୁ ସତରେ କ୍ଷୀର ଭୋଗଟି ଥୁଆ ହୋଇଛି । ତାପରେ ପୂଜକ ସେହି ଭୋଗକୁ ନେଇ ମାଧବେନ୍ଦ୍ରଙ୍କୁ ଦେଇଥିଲେ । ମାଧବେନ୍ଦ୍ର ସେହି ଭୋଗ ପାଇ ଆନନ୍ଦରେ ନୃତ୍ୟ କରି ମୁର୍ଛିତ ହୋଇ ପଡିଥିଲେ । ପୁଣି ଉଠି ସେ ନିଜକୁ ଧିକାର କରିଥିଲେ ଯେ ଗୋପିନାଥ ତାଙ୍କ ପାଇଁ ରାତି ଅନିଦ୍ରା ହୋଇ ଏତେ କଷ୍ଟ କଲେ । ତପରେ ସେ ପ୍ରତିଷ୍ଠା ଭୟରେ ତତ୍ପର ହୋଇ ରେମୁଣା ଛାଡି ପୁରୀ ପଳାଇଥିଲେ ।
ଏହି ମନ୍ଦିରକୁ ଗଙ୍ଗ ବଂଶର ରାଜା ଲାଙ୍ଗୁଳା ନରସିଂହ ଦେବ ନିର୍ମାଣ କରିଥିଲେ । ଏହା ବାଲେଶ୍ୱର ଠାରୁ ୯ କିଲୋମିଟର ଦୁରତାରେ ଅବସ୍ଥିତ । ଏଠାରେ ଥିବା ସୁନ୍ଦର ଗଛଲତା ଏବଂ ଶୀତଳ ପରିବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ । ଗୋପିନାଥଙ୍କ ଦର୍ଶନ ଲାଗି ବର୍ଷକ ବାରମାସ ଭକ୍ତମାନଙ୍କର ଶୁଅ ଏଠାକୁ ଛୁଟିଥାଏ ।