ଭୁବନେଶ୍ୱର (ଏଟିଆ ବ୍ୟୁରୋ): ଓଡିଶାରେ ଅନେକ ଦେବୀ ପୀଠ ରହିଛି । ସେଥିମଧ୍ୟରୁ ଅନ୍ୟତମ ଦେବୀ ପୀଠ ହେଉଛି ‘କାଳିଜାଈ’ ପୀଠ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁଠାରୁ ୧୮ କିଲୋମିଟର ଦୂରରେ ରହିଛି ମା’ କାଳିଜାଈ ଦେବୀ ପୀଠ । ଏହି ପୀଠ ଓଡିଶାର ଚିଲିକା ହ୍ରଦର ଏକ ଛୋଟିଆ ଦ୍ୱୀପରେ ଅବସ୍ଥିତ । ପ୍ରାୟ ୨୯ ଏକରର ପାହାଡରେ ପରିପୂର୍ଣ୍ଣ ଏହି ଦ୍ୱୀପରେ ମା’ କାଳିଜାଈ ପୂଜାପାଉଛନ୍ତି । କାଳିଜାଈ ଚିଲିକାର ଏକ ସ୍ୱତନ୍ତ୍ର ଆକର୍ଷଣ । ଏଠାକୁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ଲାଗି ଆସିଥାନ୍ତି । ସେମାନେ ମା’ଙ୍କ ପାଖରେ ଭୋଗ ଲାଗାଇ ଧୂପ,ଦୀପ ଚଢ଼ାଇଥାନ୍ତି ।
ମା’ଙ୍କର ମୁଖ୍ୟ ପର୍ବ ହେଉଛି ମକର ପର୍ବ । ଏହି ପର୍ବରେ ଭକ୍ତମାନେ ମା’ଙ୍କୁ ଦର୍ଶନ କଲେ ସେମାନଙ୍କର ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଜାନୁଆରୀ ମାସ ମକରସଂକ୍ରାନ୍ତିରେ ଏହି ପର୍ବ ପଡୁଥିବାରୁ ମା’ଙ୍କ ଦର୍ଶନ ଲାଗି ପୀଠରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ ।
କାଳିଜାଈଙ୍କୁ ପ୍ରତ୍ୟକ୍ଷ ଦେବୀ ବୋଲି କୁହାଯାଇଥାଏ । କାରଣ ମା’ ସବୁବେଳେ ଭକ୍ତମାନଙ୍କର ଶୁଭ ମନାସୀ ଥାନ୍ତି । ବିଶ୍ୱାସ ରହିଛି ଯେ, ମା’ କାଳିଜାଈ ଭକ୍ତମାନଙ୍କୁ ବିଭିନ୍ନ ଝଡ ଝଞ୍ଜା ଏବଂ ଦୁର୍ଘଟଣାରୁ ରକ୍ଷା କରିଥାନ୍ତି । କାରଣ ଚିଲିକା ହ୍ରଦ କୂଳରେ ରହୁଥିବା ଲକ୍ଷାଧିକ ଲୋକ ନିଜର ଜୀବିକା ନିର୍ବାହ ପାଇଁ ଏହି ହ୍ରଦ ଉପରେ ନିର୍ଭର କରିଥାନ୍ତି । ଏବଂ ମତ୍ସ୍ୟଜୀବିମାନେ ପ୍ରତିଦିନ ହ୍ରଦର ଗଭୀର ଗଣ୍ଡକୁ ଜାଇଥାନ୍ତି । ସେଠାରୁ ସେମାନେ ମାଛ ସଂଗ୍ରହ କରି ପୁଣି ହ୍ରଦର କୂଳକୁ ଫେରିଥାନ୍ତି । ଏହିସବୁ ମଧ୍ୟରେ ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା କୌଣସି ଅଘଟଣ ଘଟେ ସେହି ସମୟରେ ମା’ କାଳିଜାଈ ସେମାନଙ୍କର ସାହା ଭରଶା ବୋଲି ଆଶା ରହିଛି । ତେବେ ଚିଲିକାର ମତ୍ସ୍ୟଜିବୀମାନେ ମା’ କାଳିଜାଈଙ୍କୁ ଗୃହରେ ଇଷ୍ଟ ଦେବୀ ରୂପେ ପୂଜାର୍ଚ୍ଚାନା କରିଥାନ୍ତି ।
୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କ ଦ୍ୱାରା କାଳିଜାଈ ମନ୍ଦିର ନିର୍ମାଣ କରାଯାଇଥିଲା । କିମ୍ବଦନ୍ତୀ ଅନୁଯାୟୀ କାଳି ଓ ଜାଈ, ହେଉଛି ମା’ଙ୍କର ଦୁଇଟି ଅଲଗା ଅଲଗା ସ୍ୱରୂପ । ମା’ କାଳିଜାଈ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଦେବୀ ହୋଇଥିବା ବେଳେ ଜାଈ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ସାଧାରଣ ଝିଅ । ଜାଈ, ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ୱୀପ ପାରିକୁଦକୁ ବିବାହ କରିଥିଲେ । ବିବାହ ପରେ ଜାଈ ତାଙ୍କ ପିତାଙ୍କ ସହ ଏକ ନୌକାରେ ବସି ଯାଉଥିଲେ । ହଠାତ୍ ଝଡ ତୋଫାନ ଆସିବା ଦ୍ୱାରା ନୌକାଟି ଗଣ୍ଡ ମଧ୍ୟରେ ନେଉଟି ପଡିଥିଲା । ଏଥିରୁ ଜାଈର ପିତା ଏବଂ ନାବିକ ଦୁହେଁ ବର୍ତ୍ତି ଯାଇଥିଲେ । କିନ୍ତୁ ଜାଈର କୌଣସି ପତ୍ତା ମିଳିଲା ନାହିଁ । ଏବଂ କିଛି ଦିନ ପରେ ଶୁଣିବାକୁ ମିଳିଲା ଯେ, ସେହି ବାଟରେ ସବୁବେଳେ ଜାଈର କାନ୍ଦଣା ସୁବୁଛି । ତା’ପରଠାରୁ ଲୋକମାନେ ତାଙ୍କୁ କାଳୀଙ୍କ ଆକ୍ଷା ଦେଇ ବିପଦ ସମୟରେ ରକ୍ଷା କରିବା ପାଇଁ ସ୍ମରଣ କରିବାକୁ ଲାଗିଲେ । ସେହି ଦିନଠାରୁ ସେହି ପୀଠକୁ ‘କାଳିଜାଈ’ ନାମରେ ନାମିତ କରାଗଲା ।