ବୌଦ୍ଧ,(ଏଟିଆର ବ୍ୟୁରୋ) : ହଜିଗଲା ମାନବିକତା । ପୁଣି ଏମିତି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି ଯାହା ପଲ୍ଲୀରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି । ସିଧା କହିବାକୁ ଗଲେ ଓଡିଶାର ପୂରା ଧଜିଆ ଉଡିଯାଇଛି । ଦାନମାଝି ନିଜ ପତ୍ନୀର ମୃତଦେହକୁ କାନ୍ଧରେ ବୁହାଇବା ଘଟଣା ମନରୁ ଲିଭିନଥିବା ବେଳେ ସେଭଳି ଆଉ ଏକ ଘଟଣା ବୌଦ୍ଧ ଅଞ୍ଚଳରେ ଘଟିଛି । ମୃତଦେହକୁ ଶ୍ମଶାନ ପର୍ଯ୍ୟନ୍ତ ନେବା ଲାଗି ୪କାନ୍ଧ ମିଳିନି ।
ଫଳରେ ଅତି ଦୟନୀୟ ଅବସ୍ଥାରେ ଶାଳୀର ମୃତଦେହକୁ ସାଇକେଲରେ ବାନ୍ଧି ଶ୍ମଶାନକୁ ବୋହି ନେଇଛି ଭିଣୋଇ । ଅନ୍ୟ ଜାତିରେ ବାହା ହୋଇଥିବାରୁ ଏଭଳି ଦଶା ଭୋଗିବାକୁ ପଡିଥିବା କଥା ଶୁଣିବାକୁ ମିଳୁଛି ।
ରିପୋର୍ଟ ଅନୁସାରେ, କୃଷ୍ଣପାଲି ଅଞ୍ଚଳରେ ରହନ୍ତି ଚତୁର୍ଭୁଜ ବାଙ୍କ ନାମକ ବ୍ୟକ୍ତି । ପ୍ରଥମ ପତ୍ନୀଙ୍କ ପିଲାପିଲି ନହେବାରୁ ଅନ୍ୟ ଏକ ଜାତିରେ ଚତୁର୍ଭୁଜ ବିବାହ କରିଥିଲେ । ଯାହାକୁ ପୂରା ଗାଁ ଲୋକ ବାରଣ କରିଥିଲେ । ଫଳସ୍ୱରୂପ ସାମାଜିକ ବାସନ୍ଦ ହୋଇଥିଲେ ଚତୁର୍ଭୁଜ । ତେବେ ଶାଳୀ ପାଞ୍ଚ ମହାକୁଡ଼ ଚତୁର୍ଭୁଜଙ୍କ ପାଖରେ ରହୁଥିବା ବେଳେ ଗତକାଲି ସେ ଝାଡାବାନ୍ତିର ଶିକାର ହୋଇଥିଲେ ।
ଚିକିତ୍ସା ଲାଗି ତାଙ୍କୁ ହସପିଟାଲ ନିଆଯାଇଥିଲେ ମଧ୍ୟ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ହସପିଟାଲରୁ ଆମ୍ବୁଲାନ୍ସରେ ମୃତଦେହ ଗାଁକୁ ଅଣାଯାଇଥିଲା । ବାପା-ମା’ ଛେଉଣ୍ଡ ଶାଳୀର ଶବ ବ୍ୟବଚ୍ଛେଦ ଲାଗି ସାହି ଭାଇଙ୍କୁ ଡାକିଥିଲେ ଚତୁର୍ଭୁଜ । ହେଲେ କେହି ଶୁଣିନଥିଲେ ବରଂ ଆସିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ଶେଷରେ ଉପାୟଶୂନ୍ୟ ହୋଇ ମୃତଦେହକୁ ଲୁଗାରେ ଗୁଡାଇ ସାଇକେଲରେ ବାନ୍ଧି ଶ୍ମଶାନକୁ ନେଇଥିଲେ ଚତୁର୍ଭୁଜ ।